ଓଡ଼ିଶା,ନଭେମ୍ବର 26 : ଅଧାବାଟରେ ଭାଇ ଜଗାର ହାତ ଛାଡ଼ି ଆରପାରିକୁ ଚାଲିଗଲା କାଳିଆ । କାଳ ସହ ସଂଗ୍ରାମ କରି ହାରିଯାଇଥିବା କାଳିଆର କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ତିନି ବର୍ଷ ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିଲା । ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତେବେ ଜଗା ଏବେ ସୁସ୍ଥ ରହିଛି । ଅପରପକ୍ଷରେ କାଳିଆର ମୃତ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ବେ ଦେହାନ୍ତ ହେଲା ।ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ୟ୍ୟ ଦିଅନ୍ତୁ । ‘ ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା କରିବା ସହ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ