ମୁମ୍ବାଇ, ସେପ୍ଟେମ୍ବର ୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ୱାଇ ବର୍ଗର ସୁରକ୍ଷା ସହିତ ଆଜି ଚଣ୍ଡିଗଡ଼ ବିମାନବନ୍ଦର ପହଂଚିବେ । ଏଥି ପାଇଁ ସେ ମଣ୍ଡିରୁ ବାହାରିସାରିଛନ୍ତି । ଅପରାହ୍ନ ସାଢ଼େ ୧୨ଟାରେ ସେ ଚଣ୍ଡିଗଡ଼ରୁ ମୁମ୍ବାଇ ଲାଗି ଯିବେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ନିଜ ଘରେ ରହୁଥିଲେ । କଙ୍ଗନା ମଙ୍ଗଳବାର ନିଜର ଗାଁ ଭାୱଲା ପହଂଚିଥିଲେ । ଏଠାରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲଗାଇଥିଲେ ।
କଙ୍ଗନା ନିଜ ଗାଁକୁ ଯେତେବେଳେ ପହଂଚିଥିଲେ, ତାଙ୍କ ସହିତ ପୋଲିସ ବଳ ମୁତୟନ ଥିଲେ । କଙ୍ଗନାଙ୍କୁ ତାଙ୍କ ପ୍ରଶଂସକମାନେ କହିଛନ୍ତି, ସେମାନେ ତାଙ୍କ ସହିତ ଅଛନ୍ତି । ଅନ୍ୟପଟରେ ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତଙ୍କୁ ଡ୍ରଗ୍ସ ନେବା ଅଭିଯୋଗରେ ତଦନ୍ତ କରିବ । ଶିବସେନା କଙ୍ଗନା ରଣାୱତଙ୍କ ବିରୋଧରେ ଥାନେ ପୋଲିସ ଷ୍ଟେସନରେ ଅଭିଯୋଗ ଆଣିଛି । କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ଯାଂଚ କରିବା ଲାଗି ମହାରାଷ୍ଟ୍ର ସରକାର ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ସାକ୍ଷାତକାରକୁ ଆଧାର କରିବ ।
ମୁମ୍ବାଇ ଗସ୍ତ ପୂର୍ବରୁ ଅଭିନେତ୍ରୀ କଙ୍ଗନା ନିଜର କରୋନା ପରୀକ୍ଷା କରିଛନ୍ତି । ସେ ନେଗେଟିଭ ଚିହ୍ନଟ ହୋଇଥିବା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଦେବେନ୍ଦର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଙ୍ଗନା କିଛି ସମୟ ପୂର୍ବରୁ ଟୁଇଟ କରି କହିଛନ୍ତି, ‘ରାଣୀ ଲକ୍ଷ୍ମୀବାଈଙ୍କ ସାହାସ, ଶୌର୍ଯ୍ୟ ଓ ଉତ୍ସର୍ଗକୁ ମୁଁ ଫିଲ୍ମ ଜରିଆରେ ଜୀବୀତ କରିଛି । ଦୁଃଖର ବିଷୟ ଯେ, ମୋର ମହାରାଷ୍ଟ୍ରକୁ ଆସିବା ପାଇଁ କଟକଣା ଲଗାଯାଉଛି । ମୁଁ ରାଣୀ ଲକ୍ଷ୍ମୀବାଈଙ୍କ ପଦାଙ୍କ ଅନୁସରଣ କରିବ । ମୁଣ୍ଡ ତଳକୁ ନୁଆଁଇବି ନାହିଁ । ସ୍ୱର ଉଠାଇବି । ଜୟ ମହାରାଷ୍ଟ୍ର, ଜୟ ଶିବାଜୀ, ଲେଖିଛନ୍ତି ।