Sun. Jan 19th, 2025

ଶାହୀନ ବାଗରେ କମବ୍ୟାକ୍‌ କଲେ ଆପ ପ୍ରାର୍ଥୀ

By amfnews Feb 11, 2020 #Featured
352 Views

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ବିଜେପି ସବୁଠାରୁ ବଡ଼ ପ୍ରସଙ୍ଗ କରିଥିବା ଶାହୀନ ବାଗରେ ଦଳକୁ ଝଟକା ଲାଗିବାକୁ ଯାଉଛି। ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଛି।

ଓଖଲା ଆସନରୁ ପ୍ରାର୍ଥୀ ହୋଇଥିବା ଆପର ଅମନତୁଲ୍ଲା ଖାନ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ବର୍ତ୍ତମାନ ୧୩,୬୩୧ ଖଣ୍ଡ ଭୋଟରେ ଆଗୁଆ ହୋଇଯାଇଛନ୍ତି। ଏବେ ଆଉ ମାତ୍ର କିଛି ରାଉଣ୍ଡର ଗଣତି ରହିଛି। ତେଣୁ ଏଠାରେ ବିଜେପି ପରାସ୍ତ ହେବ ବୋଲି ଚର୍ଚ୍ଚା ହେଉଛି।

୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ ୨ ମାସ ହେଲା ଚାଲିଛି। ଏହି କାରଣରୁ ବିଜେପି ଏହାକୁ ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା।

ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ କେତେବେଳେ ପାକିସ୍ତାନୀ ତ ଆଉ କେତେବେଳେ ଦେଶଦ୍ରୋହୀ ମଧ୍ୟ  କହିବାକୁ ବିଜେପି ନେତମାନେ ପଛାଇ ନଥିଲେ।  ଦିଲ୍ଲୀବାସୀଙ୍କୁ ଶାହୀନ ବାଗ ବିରୋଧରେ ଭୋଟ ଦେବାକୁ ନିବେଦନ ମଧ୍ୟ କରିଥିଲେ। ହେଲେ ଏବେ ସବୁ କିଛି ଓଲଟପାଲଟ ହେବାକୁ ବସିଲାଣି।

By amfnews

Related Post