Fri. Mar 6th, 2026

ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଲେ ୭ ମାସର ଗର୍ଭବତୀ

417 Views

ନୂଆପଡ଼ା: ମାରାତ୍ମକ କରୋନାଭାଇରସ୍ ବିରୋଧରେ ଲଢେଇ ଲାଗି ଜାରି ରହିଛି। ଏବେକାର ତାଲାବନ୍ଦ ସମୟରେ ନୂଆପଡ଼ାରେ ଆଜି ସାମ୍ନାକୁ ଆସିଛି ଏକ ବିଶେଷ ଦୃଶ୍ୟ। ଆଜି ସକାଳେ ଜଣେ ୭ ମାସର ଗର୍ଭବତୀ ମହିଳା ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ପିଥୌଡ଼ା ଥାନା ଅନ୍ତର୍ଗତ ହାରଦୀ ଗାଁର ୧୨ଜଣ ଶ୍ରମିକ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ରେ କାମ କରୁଥିଲେ। ସେମାନେ ତାଲାବନ୍ଦ ଯୋଗୁ କାମଦାମ ନ ପାଇ ଭୋକ ଉପାସରେ କାଳ କାଟିବା ଅପେକ୍ଷା ନିଜ ଗାଁକୁ ଫେରିବା ଭଲ ବୋଲି ମନେ କରି ଗତ ୨୮ ତାରିଖରେ ଟିଟଲାଗଡ଼ ରେଳ ଷ୍ଟେସନର ଧାରଣା ବାଟ ଦେଇ ପ୍ରାୟ ୧୦୦ କିଲୋମିଟର ଚାଲିବା ପରେ ଆଜି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏହି ୧୨ ଶ୍ରମିକଙ୍କ ଭିତରେ ଜଣେ ୭ ମାସର ଗର୍ଭବତୀ ମହିଳା ବି ଥିଲେ।

ଏସଂପର୍କରେ ଖବର ପାଇ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଉକ୍ତ ଶ୍ରମିକମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରାଇଥିଲେ। ସେମାନଙ୍କୁ ନିଜ ଗାଁକୁ ପଠାଇବାର ବି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେଉଥିବା ଜଣାଯାଇଛି।

By amfnews

Related Post