Sat. Mar 7th, 2026

ଶଙ୍କର ସାରଙ୍କ ନିଆରା ପ୍ରୟାସ: ପାରମ୍ପରିକ ଦେଶୀଧାନ ସଂରକ୍ଷଣ ପାଇଁ ଜାରି ରଖିଛନ୍ତି ଅଭିଯାନ

205 Views

ନବରଙ୍ଗପୁର : ବିଲୋପ ପାଇବାକୁ ବସିଲାଣି ଦେଶୀ ଧାନ। ଆଧୁନିକ ଯୁଗରେ ପାରମ୍ପରିକ ଧାନ ବିହନ ଛାଡି ହାଇବ୍ରିଡ୍ ବିହନକୁ ଅଧିକ ପସନ୍ଦ କରୁଛନ୍ତି ଚାଷୀ। ଏଭଳି ସମୟରେ ପୁରୁଣା ଦେଶୀ ଧାନ ବିହନ ସଂରକ୍ଷଣ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ମେଦେଇ ଗାଁର ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ। ପୁରୁଣା ଧାନ ବିହନ ସଂରକ୍ଷଣ କରି ସୃଷ୍ଟି କରିଛନ୍ତି ଏକ ନିଆରା ପରିଚୟ। ତାଙ୍କ ବୟସ ୬୫ ବର୍ଷ।

ଶଙ୍କର ଚାକିରି ଜୀବନରୁ ଅବସର ନେବା ପରେ ସେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଥିଲେ। ହେଲେ କୃଷି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେଥିପାଇଁ ଖୋଲିଥିବା ସ୍କୁଲଟିକୁ ସେ ବନ୍ଦ କରି ଦେଇଥିଲେ। ତା’ପରେ ସେ ବିଭିନ୍ନ କିସମର ଧାନବିହନ ସଂଗ୍ରହର ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ପାରମ୍ପରିକ ଦେଶୀଧାନ ବିହନ ସଂଗ୍ରହ କରିଥିଲେ। ଏହାର ଉତ୍ପାଦନ ଓ ଗୁଣବତ୍ତା ଉପରେ ସେ ଗବେଷଣା କରିଥିଲେ।

ଶଙ୍କର ପାଞ୍ଚ ଶହରୁ ଅଧିକ ବିଲୁପ୍ତ  ପ୍ରଜାତିର ପାରମ୍ପରିକ ଦେଶୀଧାନ ସଂଗ୍ରହ କରିଛନ୍ତି। ଚାଷୀମାନେ ଶଙ୍କରଙ୍କ ଘରକୁ ଆସି ବିଭିନ୍ନ ଦେଶୀଧାନ ସମ୍ପର୍କରେ ଜାଣିବା ସହ ଚାଷ ପାଇଁ ପରାମର୍ଶ ନେଇଥାଆନ୍ତି। ଘର ବାରିରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ଔଷଧୀୟ ଫୁଲ ବଗିଚା ମଧ୍ୟ କରିଛନ୍ତି ଶଙ୍କର।
ଦେଶୀ ଧାନ ଗବେଷଣା ଓ ସଂଗ୍ରହକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି। ଶଙ୍କରଙ୍କ ଦେଶୀ ଧାନ ବିହନ ସଂଗ୍ରହ ଉଦ୍ୟମକୁ ଜୟପୁର ସ୍ଥିତ ଆଞ୍ଚଳିକ କୃଷି ଗବେଷଣାଗାରର ଭାରପ୍ରାପ୍ତ ଅଧିକାରୀ ପ୍ରଶଂସା କରିଛନ୍ତି।

ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ କହିଛନ୍ତି,“ ଦେଶୀ ଧାନରେ କମ୍ ଖର୍ଚ୍ଚ ହୋଇଥାଏ। ଏହାସହ ଅଳ୍ପ ପରିଶ୍ରମ କଲେ ଭଲ ଅମଳ ହୋଇଥାଏ। ଦେଶୀ ଧାନରେ ଅଧିକ ଔଷଧୀୟ ଗୁଣ ରହିଛି।”

By amfnews

Related Post