Sun. May 25th, 2025

ଲେଉଟିଲା ଶୀତ : ୨୦ ଯାଏ ଥରାଇବ, ରାତିରେ ପାରଦ କମିବ

By amfnews Jan 18, 2019 #Featured
256 Views

ଭୁବନେଶ୍ବର , ଜାନୁଆରୀ ୧୮ : ଲେଉଟିଲା ଶୀତ। ଉପକୂଳରୁ ଉପାନ୍ତ ହେଉ ଅଥବା ଫୁଲବାଣୀରୁ ବାଲେଶ୍ବର। ସବୁଠି ପାରଦ ଖସୁଛି। ଦୁଇ ଦିନରେ ସବୁ ସହରରରେ ରାତିର ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨୦ ତାରିଖ ଯାଏ ଏଭଳି ସ୍ଥିତି ଲାଗିରହିବ। ଥଣ୍ଡାରେ ଅସ୍ତବ୍ୟସ୍ତ ହେବ ସାରା ଓଡ଼ିଶା। ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ ଥରାଇବ। ଅର୍ଧାଧିକ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ସାଂଘାତିକ ହେବ। ଶୀତ ପୂର୍ବ ଅବସ୍ଥାକୁ ଫେରିବ। ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ଦାରିଙ୍ଗବାଡ଼ି, ଫୁଲବାଣୀ, ଅନୁଗୁଳରେ ପୂର୍ବ ଭଳି ସ୍ଥିତି ଉପୁଜିବ। ପାରଦ ସର୍ବନିମ୍ନସ୍ତରକୁ ଛୁଇଁବ। ରାତିର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଦିନର ତାପମାତ୍ରା କିନ୍ତୁ ବଢ଼ିବ। କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଫୁଲବାଣୀର ତାପମାତ୍ରା ପୁଣିଥରେ ୭ ଡିଗ୍ରି ତଳକୁ ଖସିଛି। ଏଠାରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି। ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରି ରହିଥିବା ବେଳେ ସୋନପୁରରେ ୮.୪, ସୁନ୍ଦରଗଡ଼ରେ ୮.୫, ଝାରସୁଗୁଡ଼ା ୮.୬, ଟିଟିଲାଗଡ଼ରେ ୯, ସମ୍ବଲପୁରରେ ୯.୧, ଭବାନୀପା‌ଟଣାରେ ୯.୩, କେନ୍ଦୁଝର ୯.୪, ହୀରାକୁଦରେ ୯.୬, ବାଲେଶ୍ବରରେ ୯.୯ ଡିଗ୍ରି ଥିଲା। ଏହାବ୍ୟତୀତ ତାଳଚେରରେ ଦିନର ତାପମାତ୍ରା ୩୧.୧ ଡିଗ୍ରିରେ ପହଞ୍ଚିଛି।

By amfnews

Related Post