Mon. Jan 27th, 2025

ଲାଗୁ ହେବ ନୂଆ ଶ୍ରମ ଆଇନ, ୧୫ ମିନିଟ ଅଧିକ କାମ କଲେ ବି ମିଳିବ ଓଭରଟାଇମ୍ ପାରିଶ୍ରମିକ!

By amfnews Feb 15, 2021 #Featured
188 Views

ନୂଆଦିଲ୍ଲୀ, ଫେବୃଆରୀ ୧୫ : ଶ୍ରମ ମନ୍ତ୍ରାଳୟ ଆସନ୍ତା ଆର୍ଥିକ ବର୍ଷରେ ନୂତନ ଶ୍ରମ ଆଇନ ଲାଗୁ କରିପାରନ୍ତି । ସରକାର ଏହାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନୂତନ ନିୟମ ଲାଗୁ ହେବା ପରେ ଦେଶରେ ଶ୍ରମ ବଜାରରେ ସଂଶୋଧନ ନିୟମର ନୂଆ ଯୁଗ ଆରମ୍ଭ ହେବ । ଏଥି ସହିତ ସରକାର ନୂଆ ଶ୍ରମ ଆଇନକୁ ନେଇ ସୃଷ୍ଟି ହେବାକୁ ଥିବା ଆଶଙ୍କା ଦୂର କରିବାକୁ ମଧ୍ୟ ଉଦ୍ୟମ କରିବେ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାର ନୂତନ ଶ୍ରମ ଆଇନ ବଳରେ ଓଭରଟାଇମର ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରିପାରନ୍ତି ଏବଂ ନିର୍ଦ୍ଧାରିତ ସମୟ ଠାରୁ ୧୫ ମିନିଟ ମଧ୍ୟ ଅଧିକ କାମକୁ ଓଭର ଟାଇମ ଭାବେ ଗ୍ରହଣ କରାଯିବ । ଏଥି ପାଇଁ କଂପାନୀକୁ ନିଜର କର୍ମଚାରୀମାନଙ୍କୁ ଟଙ୍କା ଦେବାକୁ ହେବ । ଯଦି କାମ ଶେଷ ହେବାର ୧୫ ମିନିଟ ପର୍ଯ୍ୟନ୍ତ ଆପଣ ଅଧିକ କାମ କରୁଛନ୍ତି, ତା’ହେଲେ ଏଥି ପାଇଁ କଂପାନୀଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ହେବ । ସୂଚନାଯୋଗ୍ୟ, ପୁରୁଣା ନିୟମ ଅନୁସାରେ ଏହି ସମୟ ସୀମା ଅଧ ଘଣ୍ଟା ଥିଲା । 

ଶ୍ରମ ମନ୍ତ୍ରାଳୟ ସହିତ ଜଡ଼ିତ ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଶ୍ରମ ମନ୍ତ୍ରାଳୟ ନୂତନ ଆଇନକୁ ନେଇ ସମସ୍ତ ଷ୍ଟେକହୋଲ୍ଡର ସହିତ ଆଲୋଚନା କରିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ପ୍ରକିୟା ପୂରା ହୋଇଯିବ । ଏହା ପରେ ନିୟମ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

By amfnews

Related Post