Sat. Nov 23rd, 2024

ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ବଢ଼ିବ ଯାତ୍ରୀ ଭଡ଼ା

By amfnews Dec 27, 2019 #Featured
150 Views

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ଏବଂ ମାଲ୍‌ ପରିବହନ କରିବା ମହଙ୍ଗା ହେବାକୁ ଯାଉଛି। ଟ୍ରେନ୍‌ ଭଡ଼ାରେ ପରିବର୍ତ୍ତନ ଆଣିବା ଲାଗି ବିଚାର କରାଯାଉଛି ବୋଲି ରେଳ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ସୂଚନା ଦେଇଛନ୍ତି। ତେବେ ଭଡ଼ା ବଢ଼ିବ ନା ନାହିଁ ତାହା କହିପାରିବି ନାହିଁ ବୋଲି ସେ କହିଛନ୍ତି। ଭଡ଼ା ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି, ରେଳବାଇର ରାଜସ୍ବ ସ୍ଥିତିରେ ସୁଧାର ଆଣିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଭଡ଼ା ବଢ଼ାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ସମୟ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ଆମେ ଉଭୟ ମାଲ୍ ଓ ଯାତ୍ରୀ ଭଡ଼ା ବଦଳାଇବା ଉପରେ ବିଚାର କରୁଛୁ। କିଛି ଦିନ ହେଲା ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ଏବିଷୟରେ ମୁଁ ଅଧିକ କିଛି କହିପାରିବି ନାହିଁ, କାରଣ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ସେ କହିଛନ୍ତି। ତେବେ ସଡ଼କ ପଥରେ ପରିବହନ କରାଯାଉଥିବା ସାମଗ୍ରୀଗୁଡ଼ିକ ରେଳ ପର୍ଯ୍ୟନ୍ତ ଆଣିବା ଉପରେ ଆମେ ଅଧିକ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି।

ଅର୍ଥନୀତିରେ ‌ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ରେଳବାଇର ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗତବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସ ତୁଳନାରେ ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବରରେ ଯାତ୍ରୀ ଭଡ଼ା ବାବଦରେ ୧୫୫ କୋଟି ଟଙ୍କା ଏବଂ ମାଲ୍‌ ଭଡ଼ାରେ ୩୯୦୧ କୋଟି ଟଙ୍କା କମ୍ ଆୟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୯-୨୦ର ଏପ୍ରିଲ୍‌-ଜୁନ୍ ଅବଧିରେ ରେଳବାଇ ଯାତ୍ରୀ ଭଡ଼ାରୁ ୧୩,୩୯୮.୯୨ କୋଟି ଟଙ୍କା ଆୟ କରିଥିଲା। ଜୁଲାଇ-ସେପ୍ଟେମ୍ବରରେ ଏହି ରାଜସ୍ବ ଆଦାୟ ୧୩,୨୪୩.୮୧ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଚଳିତ ସପ୍ତାହରେ ରେଳବାଇ ଏହାର ସବୁ ପ୍ରକାର ଟ୍ରେନ୍‌ ପାଇଁ ଟିକଟ ଦାମ୍ କିଲୋମିଟର ପିଛା ୫ ପଇସାରୁ ୪୦ ପଇସା ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରୁଛି ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଗତ ନଭେମ୍ବର ମାସରୁ ଏହି ନିଷ୍ପତ୍ତି ହୋଇସାରିଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିସାରିଥିଲା। ମାତ୍ର ଝାଡ଼ଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଏବିଷୟରେ ଘୋଷଣା କରାଯାଉନଥିଲା। ରେଳବାଇ ପାଇଁ ମାଲ୍‌ ଭଡ଼ା ବଢ଼ାଇବାକୁ ନେଇ ବିଶେଷ ସୁଯୋଗ ନାହିଁ। କାରଣ ଏହା ଉଚ୍ଚ ସ୍ତରରେ ରହିଛି। ସଡ଼କ ପଥରେ ମାଲ ପରିବହନ ସୁବିଧା ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକ ରେଳବାଇକୁ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଉଛନ୍ତି। ଅପର ପକ୍ଷରେ ଅନେକ ବର୍ଷ ହେଲାଣି ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ। ତେଣୁ ଏହି ଭଡ଼ା ବଢ଼ାଇ ରେଳବାଇ ନିଜର ରାଜସ୍ବ ବଢ଼ାଇବାକୁ ଚାହୁଛି। ଏହା ଅଧିକ ଟ୍ରେନ୍‌ ଲାଗି ଫ୍ଲେକ୍ସି ଫେୟାର ସୁବିଧା ଲାଗୁ କରିବା ଏବଂ ରିଫଣ୍ଡ୍‌ ବ୍ୟବସ୍ଥା‌ରେ ପରିବର୍ତ୍ତନ କରି ରାଜସ୍ବ ବଢ଼ାଇବାକୁ ଚାହୁଛି।

By amfnews

Related Post