Tue. Jan 7th, 2025

‘ରୁଷା’ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବିଶ୍ବବିଦ୍ୟାଳୟ

By amfnews Jul 5, 2019 #Featured
82 Views

ଭୁବନେଶ୍ବର : ଅର୍ଥ ନାହିଁ; ତେଣୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଉନ୍ନତି ହୋଇପାରୁନି। ଶିକ୍ଷକ ଓ କର୍ମଚାରୀ ପଦବି ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଠିକ୍‌ ଭାବେ ହୋଇପାରୁନି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଯେଉଁ ପରିମାଣର ଅର୍ଥ ମିଳୁଛି ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ସେଭଳି ଅର୍ଥ ମିଳୁନି। ତେଣୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ଆମେ ସ୍ଥାନ ପାଇ ପାରୁନୁ। ନହେଲେ ଦେଶର ଶ୍ରେଷ୍ଠ ଶହେ ଭିତରେ ଆମେ ରହିଥାନ୍ତୁ। ପ୍ରତିବର୍ଷ ମନ୍ତ୍ରଣାଳୟ ଦ୍ବାରା ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇବା ପରେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନେ ଏଭଳି ସଫେଇ ଦେଉଛନ୍ତି। ତେ‌ବେ ଯେତିକି ଅର୍ଥ ମିଳୁଛି ତାହାକୁ ବିଶ୍ବବିଦ୍ୟାଳୟଗୁଡ଼ିକ କିଭଳି ଖର୍ଚ୍ଚ କରିପାରୁନାହାନ୍ତି ତାହା ଏବେ ପଦାକୁ ଆସିଛି।

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଗଣାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)ରୁ ମିଳିଥିବା ଅର୍ଥ କିଭଳି ଖର୍ଚ୍ଚ କରା ନ ଯାଇ ପଡ଼ିରହିଛି। ରମାଦେବୀ ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଥିବା ଅର୍ଥ ବି ଖର୍ଚ୍ଚ ହୋଇପାରି ନାହିଁ। ଏପରିକି କେନ୍ଦ୍ର ସଂସ୍ଥା ‘ସେଣ୍ଟ୍ରାଲ ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ(ସିପିଡବ୍ଲ୍ୟୁଡି)କୁ ଦିଆଯାଇଥିବା କାମ ସବୁ ଅଧପନ୍ତରିଆ ହୋଇ ପଡ଼ିରହିଛି। କେବେ ସରିବ? ସେନେଇ କାହା ପାଖରେ ଉତ୍ତର ନାହିଁ। ସିପିଡବ୍ଲ୍ୟୁଡି ହାତରେ ବିଶ୍ବବିଦ୍ୟାଳୟ ଭବିଷ୍ୟତ ଟେକିଦେଇ କର୍ତୃପକ୍ଷ ଚୁପ୍‌ ବସିଛନ୍ତି। ସେପଟେ କେହି କିଛି କହୁ ନଥିବାରୁ ସିପିଡବ୍ଲ୍ୟୁଡିର ମନମାନି ଚାଲିଛି। ନିଜ ମର୍ଜିରେ କାମ କରୁଛି।

By amfnews

Related Post