Tue. Mar 10th, 2026

ରାଜ୍ୟର ପଛୁଆ ବର୍ଗଙ୍କୁ ସଂରକ୍ଷଣର ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା

201 Views

ଭୁବନେଶ୍ୱର: ରାଜ୍ୟରେ ରହିଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଲେଖିଥିବା ଏକ ପତ୍ରରେ ତାଙ୍କର ଏହି ଦାବୀକୁ ଦୋହରାଇଛନ୍ତି। ରାଜ୍ୟରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ମାନଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣର ସୁବିଧା ଯୋଗାଇ ଦେବା ସହ ସାମାଜିକ ଓ ଶୈକ୍ଷିକ ପଛୁଆବର୍ଗ (ଏସ୍‌ଇବିସି)ଙ୍କୁ ଉଚ୍ଚଶିକ୍ଷା ପାଇଁ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣର ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଦାବୀ କରିଛନ୍ତି।

‘କେନ୍ଦ୍ର ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ସୁବିଧା ଉପଲବ୍ଧ କରାଉଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥା ବିଗତ ପାଖାପାଖି ୩୦ ବର୍ଷ ତଳୁ କାର୍ଯ୍ୟକାରୀ ହୋଇ ଆସୁଛି। ତେବେ, ଓଡ଼ିଶା ରାଜ୍ୟ ସରକାର ଓବିସିମାନଙ୍କୁ କାହିଁକି ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ସଂରକ୍ଷଣ ସୁବିଧାରୁ ବଞ୍ଚିତ ରଖିବା ସହ ସାମାଜିକ ଓ ଶୈକ୍ଷିକ ପଛୁଆବର୍ଗ (ଏସ୍‌ଇବିସି)ଙ୍କୁ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣର ସୁବିଧା ଏଯାବତ୍‌ ଯୋଗାଇ ଦେଇ ନାହାନ୍ତି; ତାହାର କାରଣ ବୁଝାପଡ଼ୁ ନାହିଁ’, ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଦେଶର ସବୁ ରାଜ୍ୟ ସେମାନଙ୍କ ରାଜ୍ୟର ଓବିସିମାନଙ୍କୁ ରାଜ୍ୟ ସରକାରୀ ଚାକିରି ଓ ରାଜ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ୨୭ ପ୍ରତିଶତ ସଂରକ୍ଷଣର ସୁବିଧା ଯୋଗାଇ ଆସୁଛନ୍ତି। କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ଓ ବିହାର ପରି ରାଜ୍ୟ ଏହି ସଂରକ୍ଷଣର ମାତ୍ରାକୁ ଆହୁରି ବଢ଼ାଇ ଦେଇଛନ୍ତି। ଏ ପରିସ୍ଥିତିରେ ରାଜ୍ୟର ଓବିସିମାନଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣର ସୁବିଧା ଯୋଗାଇ ଦେବା ସହ ଏସ୍‌ଇବିସିଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ସ୍ୱତନ୍ତ୍ର ସଂରକ୍ଷଣର ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଦାବୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

By amfnews

Related Post