Sat. Mar 7th, 2026

ରାଜ୍ୟରେ ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌, ମୋଟ୍‌ ଗ୍ରାହକ ସଂଖ୍ୟା ୩.୩୨ କୋଟି

180 Views

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷରୁ ଅଧିକ ହୋଇଛି। ପ୍ରାୟ ସାଢ଼େ ଚାରି କୋଟି ଲୋକ ବାସ କରୁଥିବା ରାଜ୍ୟରେ ‌ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌ ରହିଛି। କିନ୍ତୁ ଜାତୀୟ ହାର (୮୭.୪୫%) ଠାରୁ ଓଡ଼ିଶା ଏବେବି ପଛରେ ରହିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ଜାନୁଆରିରେ ରାଜ୍ୟର ମୋବାଇଲ୍ ନେଟ୍‌ୱର୍କରେ ୧ ଲକ୍ଷ ୫୯ ହଜାର ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୨ କୋଟିରୁ ଅଧିକ ହୋଇଛି। ଗତ ଜାନୁଆରିରେ ରିଲାଏନ୍ସ ଜିଓ ୨.୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କରେ ୭୬,୦୦୦ ନୂଆ ଗ୍ରାହକ ସାମିଲ ହୋଇଛନ୍ତି। କିନ୍ତୁ ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ଅନେକ ଗ୍ରାହକ ହରାଇଥିବାରୁ ନୂତନ ଭାବେ ଯୋଡ଼ି ହୋଇଥିବା ଗ୍ରାହକ ଏବଂ କଟିଥିବା ଗ୍ରାହକଙ୍କୁ ନେଇ ମୋଟାମୋଟି ହିସାବ କରିବା ପରେ ଜାନୁଆରିରେ ୧.୫୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହୋଇଥିବା କୁହାଯାଇଛି। ଭାରତୀ ଏୟାରଟେଲ୍‌ ୧.୩୭ ଲକ୍ଷ ଓ ଭୋଡାଫୋନ୍ ଆଇଡିଆ ୫୯,୦୦୦ ଗ୍ରାହକ ହରାଇଛନ୍ତି।

ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ୧ କୋଟି ୨୦ ଲକ୍ଷ ୮୨ ହଜାର ୧୧୦ ଜଣ ଗ୍ରାହକ ଥିବା ବେଳେ ଭାରତୀ ଏୟାରଟେଲ୍‌ର ୧ କୋଟି ୧୬ ଲକ୍ଷ ୧୮ ହଜାର ୮୪୧, ବିଏସ୍‌ଏନ୍‌ଏଲ୍‌ର ୬୧ ଲକ୍ଷ ୩ ଜଣ ଓ ଭୋଡାଫୋନ୍ ଆଇଡିଆର ୩୩ ଲକ୍ଷ ୭୦ ହଜାର ୭୮୯ ଜଣ ଗ୍ରାହକ ରହିଛନ୍ତି। ଜାତୀୟ ସ୍ତରରେ ଗତ ଜାନୁଆରିରେ ୪୫.୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି। ଫଳରେ ଦେଶରେ ମୋଟ୍ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧୧୫.୬ କୋଟିରେ ପହଞ୍ଚିଛି। ସେଥି ମଧ୍ୟରୁ ୬୪.୪୫ କୋଟି ଗ୍ରାହକ ସହରାଞ୍ଚଳରେ ଥିବା ବେଳେ ୫୧.୧୯ କୋଟି ଗ୍ରାହକ ଗ୍ରାମାଞ୍ଚଳରେ ରହୁଛନ୍ତି। ବ୍ରଡବ୍ୟାଣ୍ଡ୍‌ ଗ୍ରାହକଙ୍କ ସଂଖ୍ୟା ୬୫.୪ କୋଟିରେ ପହଞ୍ଚିଛି। ଦେଶର ମୋଟ୍‌ ମୋବାଇଲ୍‌ ଗ୍ରାହକଙ୍କ ମଧ୍ୟରୁ ୮୯.୩୯ ପ୍ରତିଶତ ଘରୋଇ ସଂସ୍ଥାଗୁଡ଼ିକର ସେବା ବ୍ୟବହାର କରୁଥିବା ବେଳେ ୧୦.୬୧ ପ୍ରତିଶତ ଲୋକ ସରକାରୀ କଂପାନିର ସେବା ବ୍ୟବହାର କରୁଛନ୍ତି। ମୋଟ୍ ମୋବାଇଲ୍‌ ଗ୍ରାହକଙ୍କ ମଧ୍ୟରୁ ୩୨.୫୬ ପ୍ରତିଶତ ଜିଓ ପାଖରେ ଥିବା ବେଳେ ଭୋଡଫୋନ୍ ଆଇଡିଆ ପାଖରେ ୨୮.୪୫ ପ୍ରତିଶତ, ଭାରତୀ ଏୟାରଟେଲ୍‌ରେ ୨୮.୩୮ ପ୍ରତିଶତ ଓ ବିଏସ୍‌ଏନ୍‌ଏଲ୍‌ରେ ୧୦.୩୨ ପ୍ରତିଶତ ଗ୍ରାହକ ଅଛନ୍ତି।

By amfnews

Related Post