ଭୁବନେଶ୍ୱର : ରାଜ୍ୟରେ ମହିଳା ନିର୍ଯାତନା ମାମଲା ବଢ଼ି ବିଢ଼ି ଚାଲିଛି। ପ୍ରତ୍ୟେକ ଦିନ ବିଭିନ୍ନ ଥାନାରେ ଯୌତୁକ ନିର୍ଯାତନା, ଅସଦାଚରଣ, ଇଭ୍-ଟିଜିଂ, ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ ଭଳି ସଂଗିନ୍ ଅଭିଯୋଗମାନ ହେଉଛି। ମହିଳା କମିସନ୍ଙ୍କ ନିକଟକୁ ମଧ୍ୟ ସାରା ରାଜ୍ୟରୁ ପୁଳାପୁଳା ଅଭିଯୋଗ ଆସୁଛି। ମହିଳା କମିସନଙ୍କ କାର୍ଯ୍ୟାଳୟରୁ ଯାହା ସୂଚନା ମିଳିଛି, ଚଳିତ ବର୍ଷ ୧୦ ମାସରେ ପାଖାପାଖି ୧୮୯୦ଟି ମାମଲା ରୁଜୁ ହୋଇଛି।
ଖୋର୍ଧା ଜିଲ୍ଲାର ଭୁବନେଶ୍ୱରରେ ମହିଳା ନିର୍ଯାତନା ମାମଲା ସର୍ବାଧିକ ରୁଜୁ ହୋଇଛି। ଏହା ପଛକୁ ରହିଛି କଟକ, ତା’ ପଛକୁ ପୁରୀ। ସମ୍ବଲପୁର ଜିଲ୍ଲାରେ ସବୁଠାରୁ କମ୍ ମାମଲା ରୁଜୁ ହୋଇଛି। ଗତ ୭ ମାସରେ ମହିଳା କମିସନଙ୍କ ନିକଟରେ ୧୩୨୫ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଖୋର୍ଧାରେ ୧୩୦ଟି ପାରିବାରିକ ହିଂସା, ୮୦ଟି ଯୌତୁକ ନିର୍ଯାତନା, ୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କେବଳ ଭୁବନେଶ୍ୱରରେ ୭୧ଟି ପାରିବାରିକ ହିଂସା, ୩୨ଟି ଯୌତୁକ ନିର୍ଯାତନା ଓ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। କଟକ ଜିଲ୍ଲାରେ ୪୭ଟି ପାରିବାରିକ ହିଂସା, ୩୯ଟି ଯୌତୁକ ନିର୍ଯାତନା, ୩ଟି ଦୁଷ୍କର୍ମ ମାମଲା ରହିଛି। ପୁରୀରେ ୪୪ଟି ପାରିବାରିକ ହିଂସା, ୩୨ଟି ଯୌତୁକ ନିର୍ଯାତନା ମାମଲା ଓ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। ସମ୍ବଲପୁର ଜିଲ୍ଲାର ଚିତ୍ର କିନ୍ତୁ ଭିନ୍ନ। ଏହି ଜିଲ୍ଲାରେ ରାଜ୍ୟରେ ସବୁଠାରୁ କମ୍ ୫ଟି ପାରିବାରିକ ହିଂସା, ୫ଟି ଯୌତୁକ ନିର୍ଯାତନା ଓ ଗୋଟିଏ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜଧାନୀରେ ଅନେକ ଉଚ୍ଚ ଶିକ୍ଷିତ ଓ ସଚେତନ ନାଗରିକ ରହୁଥିଲେ ମଧ୍ୟ ଏଠାରେ ମହିଳା ସଂକ୍ରାନ୍ତୀୟ ମାମଲା ସର୍ବାଧିକ ରହିବା ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇଛି।
ଏ ସମ୍ପର୍କରେ ମହିଳା କମିସନ୍ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ଯେ ମହିଳାମାନେ ପାରିବାରିକ ହିଂସା ଓ ଯୌତୁକ ନିର୍ଯାତନାର ଅଧିକ ଶିକାର ହେଉଛନ୍ତି। ଅଭିଯୋଗ ଆସିବା ପରେ ଆମେ ମହିଳା କମିସନ୍ରେ ହିଁ ଏହାର ସମାଧାନ କରିବାକୁ ଚେଷ୍ଟା କରିଥାଉ। ଆମ ଦ୍ୱାରା ସମାଧାନ ହୋଇ ପାରୁ ନଥିବା ମାମଲାଗୁଡ଼ିକୁ ଆମେ କୋର୍ଟକୁ ପଠାଇ ଦେଇଥାଉ। ରାଜ୍ୟର ବିଭିନ୍ନ ବ୍ଲକରେ ନାରୀ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଯୋଜନା ରଖିଛୁ। ଏସଏଚ୍ଜି ମହିଳାଙ୍କୁ ସଚେତନ କରିବା ପାଇଁ ଗ୍ରାମାଞ୍ଚଳରେ ସଚେତନତା କ୍ୟାମ୍ପ କରିବାର ଆବଶ୍ୟକ ରହିଛି।
ଉଲ୍ଲେଖଯୋଗ୍ୟ ଯେ ମହିଳା ହିଂସା ବଢ଼ି ଚାଲିଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନିର୍ଦେଶ ରହିଛି। ତେଣୁ ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ କରାଯାଇଛି। ମହିଳା ହିଂସା ରୋକିବା ଓ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ମହିଳା କମିସନ୍ ମଧ୍ୟ ଗଠିତ ହୋଇଛି। ରାଜ୍ୟ ସରକାର ଏ ଦିଗରେ ଯଥେଷ୍ଟ ସଚେତନମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଉଛନ୍ତି। କିନ୍ତୁ ମହିଳା ସଂକ୍ରାନ୍ତୀୟ ମାମଲା କମିବା ପରିବର୍ତେ ବଢ଼ି ବଢ଼ି ଚାଲିଛି। ଇଭ୍ ଟିଜିଂ ରୋକିବା ଲାଗି ରାଜଧାନୀରେ କମିସନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରିବାକୁ ଯୋଜନା ହୋଇଛି।