Sun. Mar 8th, 2026
215 Views

ଭୁବନେଶ୍ୱର  :  ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ହିଁ ରଖାଯାଇଥିଲା।

ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆରଏମଆରସି ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲା। ଏହି ନମୁନା ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏମ୍ସ ଶବାଗାରରେ ରହିଛି।

ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ  ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ଝାରପଡ଼ା ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ବ୍ୟକ୍ତି ଜଣଙ୍କ ୪ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହେଁ ରାଜ୍ୟ ସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା।

ସୂଚନାରୁ ପ୍ରକାଶ, କରୋନାରେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରେ ୩୪ ଅଛନ୍ତି। ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ‘କରୋନା’ ପ୍ରଭାବିତ ଅଞ୍ଚଳକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି। ଘରୁ ନବାହାରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ୍‌ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

By amfnews

Related Post