Tue. Dec 24th, 2024

ରାଜ୍ୟରେ ପାନୀୟ ଜଳ ଯୋଗାଣର ବିକଳ ଚିତ୍ର, ୪୭୧ଟି ପାଇପ୍ ଜଳ ପ୍ରକଳ୍ପ ଅଚଳ

By amfnews Jul 6, 2019 #Featured
299 Views

ଭୁବନେଶ୍ବର : ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ସରକାର ବଜେଟରେ ବ୍ୟୟ ବରାଦ କରୁଛନ୍ତି। ପ୍ରତିବର୍ଷ ନୂତନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କିନ୍ତୁ ବାସ୍ତବ ଚିତ୍ର ହେଉଛି ପ୍ରକଳ୍ପ କାର୍ଯ୍ୟକାରୀ ହେବାର କିଛି ଦିନ ପରେ ବନ୍ଦ ହୋଇଯାଉଛି। ଆଉ ଲୋକଙ୍କୁ ପାଣି ମିଳୁନି। ପିଇବା ପାଣି ସମସ୍ୟା ନେଇ ସରକାରଙ୍କୁ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ଘେରିଲେ ବି କିଛି ବି ଫରକ ପଡ଼ୁନି। ଏବେ ଖୋଦ ସରକାରୀ ତଥ୍ୟ କହୁଛି ରାଜ୍ୟରେ ୪୭୧ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ରେକର୍ଡ଼ ଅନୁଯାୟୀ, ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ତଥା ଏବର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଜିଲ୍ଲା ନୟାଗଡ଼ରେ ସର୍ବାଧିକ ୧୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ବିଭିନ୍ନ କାରଣରୁ ଅକାମୀ ହୋଇ ପଡ଼ିଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ତଥ୍ୟ ଅନୁଯାୟୀ ପାଇପ ନଷ୍ଟ, ଚୋରି, ମୋଟର ପୋଡ଼ିଯିବା ଓ ବିଦ୍ୟୁତ ସରବରାହ ସମସ୍ୟା ଯୋଗୁଁ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାଇପ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ନୟାଗଡ଼ ପଛକୁ ନବରଙ୍ଗପୁରରେ ୩୫ଟି ପାଇପ ଜଳ ପ୍ରକଳ୍ପ ଅକମୀ ହୋଇଥିବାବେଳେ, ବୌଦ୍ଧରେ ୨୯ଟି, ବଲାଙ୍ଗୀରରେ ୨୫, ଗଞ୍ଜାମରେ ୨୫, ସୁନ୍ଦରଗଡ଼ରେ ୨୫, ମୟୂରଭଞ୍ଜରେ ୨୪, କଳାହାଣ୍ଡିରେ ୨୧ଟି ଓ କୋରାପୁଟରେ ୧୮ଟି ପାଇପ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨୨ଟି ପାନୀୟ ଜଳ ପ୍ରକଳ୍ପ ଅଚଳ ଅଛି। ଏମିତି ୨୪ଟି ଜିଲ୍ଲାରେ ମୋଟ ୪୭୧ଟି ପ୍ରକଳ୍ପ ଅଚଳ ହୋଇଛି। ଅଚଳ ହୋଇଥିବା ପ୍ରକଳ୍ପ ପାଇଁ ମୁଖ୍ୟତଃ ପାଇପ ନଷ୍ଟ, ଚୋରି ଓ ବିଦ୍ୟୁତ ସରବରାହ ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି। ଏତେ ସଂଖ୍ୟକ ପାନୀୟ ଜଳ ପ୍ରକଳ୍ପ ଅଚଳ ହେବା ନେଇ ଜନୈକ ସରକାରୀ ଅଧିକାରୀଙ୍କ କହିବା କଥା, ପାଇପ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପଞ୍ଚାୟତିରାଜ ବିଭାଗ ଏସବୁ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରିବା କଥା। କିନ୍ତୁ ବାସ୍ତବ କ୍ଷେତ୍ରରେ ବିଭାଗୀୟ ତତ୍ପରତା ଅଭାବରୁ ଠିକ୍ ଭାବେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ହୋଇପାରୁନି ଓ ଫଳରେ ସେସବୁ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ୁଛି। ସରକାର ଦର୍ଶାଇଛନ୍ତି,ରାଜ୍ୟରେ ଥିବା ମୋଟ ୧ ଲକ୍ଷ ୫୭ ହଜାର ୧୩ଟି ଗ୍ରାମ ଓ ପଡ଼ାଗ୍ରାମ ଭିତରୁ ୪୩ ହଜାର ୬୪୭ଟି ଗ୍ରାମ ଓ ପଡ଼ାଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ୬ ହଜାର ୯୩୯ଟି ପଡ଼ାଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ ହଜାର ୬୮୯ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ମୋଟ ୩୩ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଗତ ୨୮ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭିନ୍ନ ପାଇପ ଜଳ ଯୋଗାଣ ପ୍ରକଳ୍ପ ବାବଦରେ ୨୦୧୯-୨୦ ଆର୍ଥିକ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେଥିରୁ ଚଳିତବର୍ଷ ୬୪୨ଟି ପାଇପ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ୭୦୩ କୋଟି ଟଙ୍କା ଖର୍ଚ୍ଚ କରାଯିବ।

By amfnews

Related Post