Sat. Mar 7th, 2026

ରାଜସ୍ଥାନ କମାଇଲା ଅଢ଼େଇ ଟଙ୍କା

291 Views

ଜୟପୁର:

ତେଲ ଦର ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ପ୍ରତିବାଦରେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ହେବାକୁ ଥିବା ଭାରତ ବନ୍ଦର ପୂର୍ବଦିନ ବିଜେପି ଶାସିତ ରାଜସ୍ଥାନ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଅଢ଼େଇ ଟଙ୍କା କମାଇ ଦେଇଛନ୍ତି। ତେଲ ଉପରୁ ରାଜ୍ୟ ସରକାର ୪% ଭାଟ୍‌ ହ୍ରାସ କରିବା ଫଳରେ ଏହି ମୂଲ୍ୟ ହ୍ରାସ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ହନୁମାନଗଡ଼ ଜିଲ୍ଲାର ରାଓ୍ଵତସରଠାରେ ଆୟୋଜିତ ରାଜସ୍ଥାନ ଗୌରବ ଯାତ୍ରାରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ପେଟ୍ରୋଲ ଉପରେ ଭାଟ୍‌ ୩୦ ପ୍ରତିଶତରୁ ୨୬ ପ୍ରତିଶତକୁ ଏବଂ ଡିଜେଲ ଉପରେ ଭାଟ୍‌ ୨୨ ପ୍ରତିଶତରୁ ୧୮ ପ୍ରତିଶତକୁ କମାଯାଇଛି । ତେବେ ଭାଟ୍‌ ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ୨୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି କୁହାଯାଇଛି। କିନ୍ତୁ ତେଲ ଦର ହ୍ରାସ ରାଜ୍ୟର ଲୋକମାନଙ୍କ ପାଇଁ ଆଶ୍ୱସ୍ତି ଆଣିବ। କୃଷକ ହୁଅନ୍ତୁ ଅବା ମହିଳା ଅବା ଅନ୍ୟମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସକୁ ସମାଲୋଚନା କରି ରାଜେ କହିଛନ୍ତି, ଏହି ଦଳ ଏକ ଯଥାର୍ଥ ବିରୋଧୀ ଦଳର ଭୂମିକା ତୁଲାଇବାରେ ବିଫଳ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ପ୍ରତିଦିନ ତେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଟିକସ ଛାଡ଼ିବାକୁ ରାଜି ହେଉ ନଥିଲେ। ରାଜସ୍ଥାନ ପ୍ରଥମ ରାଜ୍ୟ ଭାବେ ଏବେ ଭାଟ୍‌ ଛାଡ଼ କରିଛି। ରାଜସ୍ଥାନର ଏହି ଘୋଷଣା ଏବେ ଅନ୍ୟ ରାଜ୍ୟ ପାଇଁ ଭାଟ୍‌ ହ୍ରାସ ଲାଗି ବାଧ୍ୟ କରିପାରେ। ଅନ୍ୟ ରାଜ୍ୟ ଗୁଡ଼ିକ ଭାଟ୍‌ ହ୍ରାସ କରିଲେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତମାନ ପରିସ୍ଥିତିରେ ଗ୍ରାହକଙ୍କ ଉପରୁ ଦର ବୃଦ୍ଧି ଜନିତ ବୋଝ ହାଲ୍‌କା ହେବା ସମ୍ଭାବନା ସୃଷ୍ଟି ହୋଇଛି।

By amfnews

Related Post