Fri. Dec 27th, 2024

ରାଜନୈତିକ ହିଂସାକାଣ୍ଡକୁ ପ୍ରୋତ୍ସାହନ ଦେବା ଗଣତନ୍ତ୍ର ପ୍ରତି ବିପଦ

By amfnews Nov 26, 2018 #Featured
259 Views

ରାଉରକେଲା, ୨୬ା୧୧  : ଓଡ଼ିଶାରେ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ କୋସଲ ଜନତା ଦଳ (କେଜେଡି) ଉଦ୍ବେଗ ପ୍ରକାଶ କରିଛି । ନିର୍ବାଚନ ପାଖେଇ ଆସିବା ସହ ଏହି ଅସହିଷ୍ଣୁତା ଅଧିକରୁ ଅଧିକ ହେବ ବୋଲି ଦଳ ଆଶଙ୍କା ପ୍ରକାଶ କରୁଥିବା କେଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଦଳର ମୁଖପାତ୍ର ଡା. ସୁରମା ମିଶ୍ର ନିକଟରେ ଆଳି ଏବଂ କାଶୀପୁରଠାରେ ଉକ୍ରଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ପ୍ରାୟୋଜିତ ବୋଲି କହିଛନ୍ତି ।

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଏବଂ ଯେଉଁମାନେ ରାଜନୀତିରେ ହିଂସାତ୍ମକ କାଣ୍ଡକୁ ପ୍ରୋତ୍ସାହିତ କରୁଛନ୍ତି ଆଗାମୀ ନିର୍ବାଚନରେ ଓଡ଼ିଶାର ଭୋଟର ତାଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଓଡ଼ିଶାରେ ସିଂହାସନ ହଲିବା ଆରମ୍ଭ ହେଲାଣି ଓ ପରିବର୍ତ୍ତନର ସ୍ୱର କ୍ରମେ ତୀବ୍ର ହେବାରେ ଲାଗିଛି । ତେବେ ହିଂସା ବା ଅସହିଷ୍ଣୁତା ଏହାର ବିକଳ୍ପ ନୁହେଁ । ବିରୋଧୀଙ୍କ ମୁହଁ ବନ୍ଦ ତଥ୍ୟ ସମ୍ବଳିତ କଡ଼ା ଜବାବ୍ ମାଧ୍ୟମରେ ଦିଆଯାଇପାରନ୍ତା । ଏଥିପାଇଁ ଗୁଣ୍ଡାମାନଙ୍କୁ ପ୍ରୋତ୍ସାହିତ କରିବା ଆଦୌ ସମିଚୀନ ନୁହେଁ ବୋଲି ଡା. ଶ୍ରୀମତୀ ମିଶ୍ର କହିଛନ୍ତି ।

ନିକଟରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୁଦ୍ଧରେ ମଧ୍ୟ ଏପରି ଅସହିଷ୍ଣୁତାର ଝଲକ୍ ଦେଖିବାକୁ ମିଳିଛି । ଏହାର ସେ ତୀବ୍ର ନିନ୍ଦା କରିଛନ୍ତି ଏବଂ ଓଡ଼ିଶାର ଅନ୍ୟତମ ସ୍ମାର୍ଟ ସିଟି ରାଉରକେଲାରେ ଏ କ୍ଷେତ୍ରରେ ସାମ୍ବାଦିକ ମହଲର ପ୍ରତିକ୍ରିୟା ପର୍ଯ୍ୟାପ୍ତ ନୁହେଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଗଣମାଧ୍ୟମର ସମ୍ବାଦଦାତାଙ୍କୁ କ୍ରୀଡ଼ା ସଚିବ ବିଶାଳ ଦେବ ଯେଉଁ ବ୍ୟବହାର ପ୍ରଦର୍ଶନ କଲେ ସେଥିପାଇଁ ସେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଉ ବୋଲି ଏହି ପ୍ରେସ୍ ବିବୃତ୍ତିରେ କୁହାଯାଇଛି ।

By amfnews

Related Post