Thu. Jan 23rd, 2025
368 Views

ପ୍ରଶାନ୍ତ ପଟ୍ଟନାୟକ

ରାଷ୍ଟ୍ରଶାସନ ପାଇଁ ବା ରାଷ୍ଟ୍ରପରିଚାଳନା ପାଇଁ ପ୍ରଯୋଜନୀୟ ନୀତି, ସାମ, ଦାନ, ଦଣ୍ଡ, ଭେଦ ରାଜ୍ୟ ଶାସନର ଏହି ଚତୁର୍ବିଧ ଉପାୟ ଉପରେ ପ୍ରତ୍ୟେକ ରାଜନୈତିକ ନେତା ଗୁରୁତ୍ୱ ଆରୋପ କରିବା ଏବଂ ତାହାକୁ ଅନୁସରଣ କରି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ ହୋଇଥିଲେ ମଧ୍ୟ ସମ୍ପ୍ରତି ଆମର ରାଜନେତାମାନେ ଏଭଳି ନୀତି ନୀୟମ ଅନୁସରଣ କରିବା ପରିଲକ୍ଷିତ ହେଉନାହିଁ । ହସ୍ତିନାରେ ମାତ୍ର ପାଞ୍ଚଖଣ୍ଡ ଗ୍ରାମ ପାଇଁ ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ହେଉଥିବା ମହାଯୁଦ୍ଧ ମାହାଭାରତ ଯୁଦ୍ଧରେ ଉଭୟ ପକ୍ଷ ନିର୍ଦ୍ଧିଷ୍ଟ ନୀତିନୀୟମ ମାନି ପରସ୍ପର ସହ ଯୁଦ୍ଧ କରୁଥିଲେ ।

କୌରବ ଶହେ ଭାଇଙ୍କ ପିତା ଧ୍ରୁତରାଷ୍ଟ୍ର ଅନ୍ଧ ଥିବାରୁ ତାଙ୍କର ପୁତ୍ରମାନେ ଏବଂ ପଣ୍ଡୁରାଜାଙ୍କର ପାଞ୍ଚ ପୁତ୍ର ପାଣ୍ଡମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସେ ନିଜେ ଦେଖିବାର ସମ୍ଭାବନା ନଥିବାରୁ ତାଙ୍କର ଏକମାତ୍ର ବିଶ୍ୱସ୍ଥ ସଂଜୟଙ୍କୁ ଏହି ଯୁଦ୍ଧର ବିବରଣୀ ଟିକିନିଖି ଭାବରେ ବର୍ଣ୍ଣନା କରିବା ପାଇଁ ଆଦେଶ ଦେଇଥିଲେ ଏବଂ ସଂଜୟ ତାଙ୍କ ଦୂରଦୃଷ୍ଟି ପ୍ରୟୋଗ କରି ମହାଭାରତ ଯୁଦ୍ଧର ଧାରାବିବରଣୀ ଧ୍ରୁତରାଷ୍ଟଙ୍କୁ ଶୁଣାଉଥିଲେ ।

ମହାଭାରତର ଯୁଦ୍ଧଭୂମୀ କୁରୁକ୍ଷେତ୍ରକୁ ‘ଧର୍ମ କ୍ଷେତ୍ର’ ବୋଲି ବର୍ଣ୍ଣନା କରାଯାଉଥିଲା । ଧର୍ମ ଯୁଦ୍ଧରେ ମିଥ୍ୟା ଆରୋପ ବା ପ୍ରତ୍ୟାରୋପର ଅବକାଶ ନଥିଲା ଅଥବା କୌଣସି ପକ୍ଷ ମିଥ୍ୟା ପ୍ରତିଶୃତି ଦେଇ ନିଜ ସପକ୍ଷରେ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରୁନଥିଲେ । ନିର୍ବାଚନ ସର୍ବଦା ଧର୍ମଯୁଦ୍ଧ ଭାବରେ ପରିଗଣିତ ହେଉଥିବାରୁ ଏହି ରଣାଙ୍ଗନରେ ଅବର୍ତ୍ତିନ ପ୍ରାର୍ଥିମାନେ ସବନିମ୍ନ ସାଧୁତା ସଞ୍ଜମତା ଓ ନୀତି ନୀୟମ ଅନୁସରଣ କରିବା ଏକାନ୍ତ ବିଧେୟ ହୋଇଥିଲେ ମଧ୍ୟ ଆମ ଦେଶରେ ବିଗତ ୭୦ବର୍ଷ ମଧ୍ୟରେ ହୋଇଆସୁଥିବା ନିର୍ବାଚନ ଗୁଡ଼ିକରେ ଏହି ରଣନୀତିକୁ କେହିହେଲେ ଅନୁସରଣ କରୁଥିବାର ପରିଲକ୍ଷିତ ହେଉନାହିଁ ।

ନିର୍ବାଚନରେ ଯୁଦ୍ଧଂଦେହୀ ଡ଼ାକରା ଦେଇ ଅବର୍ତ୍ତିନ ହେଉଥିବା ରାଜନୈତିକ ଦଳର ନେତା ଏବଂ ପ୍ରାର୍ଥୀମାନେ ଖଣ୍ଡା, ତଲୱାର, ଧନୁ, ତୀର, କମାଣ ଏବଂ ସର୍ବପରି ଦେବାଦେବୀଙ୍କ ଆର୍ଶିବାଦରୁ ପାଇଥିବା ଅସ୍ତ୍ରଶସ୍ତ୍ର ଧରି ଗଣାଙ୍ଗନରେ ଅବର୍ତ୍ତିନ ହେଇଥିବା ସମୟରେ ସାମ୍ପ୍ରତ୍ତିକ ନିର୍ବାଚନର ରଣାଙ୍ଗନରେ ଅବର୍ତ୍ତିନ ହେଉଥିବା ପ୍ରାର୍ଥୀମାନେ ଅର୍ଥବଳ, ବାହୁବଳ ଏବଂ ଅନ୍ୟାନ୍ୟ ଅନୈତିକ ପନ୍ଥାକୁ ଅସ୍ତ୍ରଭାବେ ବିଜୟ ହାସଲ କରିବା ନିମନ୍ତେ ବ୍ୟବହାର କରୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଆରମ୍ଭ କରି ଲୋକସଭା, ବିଧାନସଭା ଓ ସର୍ବପରି ଗ୍ରାମପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ ଯେକୌଶସି ଉପାୟରେ ବିଜୟଲାଭ କରିବାକୁ ଏକମାତ୍ର ପନ୍ଥା ଭାବରେ ବାଛି ନେଇଛନ୍ତି ।

ଯେଉଁଥିପାଇଁ କି ସେମାନେ ନିଜର ଏବଂ ନିଜ ଦଳର ଶକ୍ତି ସାମର୍ଥ୍ୟ ଏବଂ ଜନସାଧାରଣଙ୍କ ପାଇଁ ସେମାନଙ୍କର ଅତୀତର ଅବଦାନ ଏବଂ ଭବିଷ୍ୟତର କାର୍ଯ୍ୟସୂଚୀ ସମ୍ପର୍କରେ ସଠିକ୍ ପ୍ରତିଶୃତି ଦେଇ ଭୋଟଦାତାମାନଙ୍କୁ ନିଜ ସପକ୍ଷରେ ଆଣିବା ଲାଗି ଉଦ୍ୟମ କରିବା ପରିବର୍ତ୍ତେ ବିପକ୍ଷ ପ୍ରାର୍ଥୀ ବା ଦଳ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଓ ଆରୋପ କରି ସେମାନଙ୍କୁ ନ୍ୱନ ଦେଖାଇବା ପାଇଁ ପ୍ରୟାସ କରାଯିବା ଆଦୌ ଉଚିତ ନୁହେଁ । ମାତ୍ର ଭାରତୀୟ ରାଜନୀତିରେ ଏହା ସଚରାଚର ପରିଲକ୍ଷିତ ହେଉଛି ।

ପ୍ରଧାନମନ୍ତ୍ରୀ ଭଳି ଉଚ୍ଚ ଓ ସମ୍ମାନ ଜନକ ପଦବୀରେ ଆସିନ ବ୍ୟକ୍ତିମାନେ ବିରୋଦ୍ଧି ଦଳର ନେତାମାନଙ୍କୁ ଅତି ନ୍ୱନ କରି ସେମାନଙ୍କ ଠାରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ପ୍ରୟାସ କରୁଥିବା ଏକ ସାଧାରଣ ଘଟଣାରେ ପରିଣତ ହେଉଛି । ଯାହାଫଳରେ ଦେଶର ସାଧାରଣ ଜନତା ଓ ବୁଦ୍ଧିଜୀବିମାନେ ସାମୟୀକ ଭାବରେ ପ୍ରଭାବିତ ହୋଇ ତୃଟିପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।

ପରବର୍ତ୍ତୀ କାଳରେ ସେମାନେ ଅସଲ ସତ୍ୟ ଅନୁଭବ କରିବା ବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହିଯାଉଛି ଏବଂ ସେମାନେ ଅନ୍ୟ କୌଣସି ଉପାୟ ନପାଇ ଆଗାମୀ ନିର୍ବାଚନ ପର୍ଯନ୍ତ ଅପେକ୍ଷା କରିବା ଲାଗି ବାଧ୍ୟ ହେଉଛନ୍ତି ।
ଏହିଭଳି ପରିସ୍ଥିତି ଓ ପରିବେଶ କରାଯିବା ପଛରେ କେତେକ ନିଦ୍ଧିଷ୍ଟ ରାଜନେତାଙ୍କର ହୀନମନ୍ୟତା ଏବଂ ବିଜୟର ଲାଳସା ନୀହିତ ରହୁଥିବାରୁ ମାନବିକ ମୂଲ୍ୟବୋଧକୁ ଅନେକ ସମୟରେ ତୀଳତୀଳ କରି ବଳୀ ଦିଆଯାଉଛି । ଯାହା ଦେଶ ଓ ଜନସାଧାରଣଙ୍କ ପାଇଁ ଆଦୌ ମଙ୍ଗଳମୟ ନୁହେଁ ।

By amfnews

Related Post