Thu. Dec 26th, 2024

ରାଉରକେଲା ଷ୍ଟେସନରେ ୧୪ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

By amfnews Aug 22, 2018 #Featured
352 Views

ରାଉରକେଲା, ୨୨ା୮ : ରାଉରକେଲା ରେଲୱେ ଷ୍ଟେସନରୁ ଆର୍ପିଏଫ୍ ୪ ଜଣ ନାବାଳକ ଓ ୧୦ ଜଣ ନାବାଳିକାକୁ ଉଦ୍ଧାର କରିଛି । ଉଦ୍ଧାର ପରେ ସମସ୍ତଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ତାମିଲନାଡ଼ୁ ଚାଲାଣ କରୁଥିବା କେ.ସିଲଭାରାଜକୁ ରେଳବାଇ ପୁଲିସ ଅଟକ ରଖି ଜେରା କରୁଛି । ଚକ୍ରଧପୁର ନିକଟ କରେଇକେଲା ଥାନା ଅଞ୍ଚଳରୁ ତାମିଲନାଡ଼ୁ ଅଞ୍ଚଳର କେ.ସିଲଭାରାଜ (୫୩) ନାମକ ଜଣେ ଲେବର କଣ୍ଟ୍ରାକ୍ଟର ଟାଟା-ଆଲେପ୍ପି ଏକ୍ସପ୍ରେସରେ୧୪ ଜଣ ପୁଅ-ଝିଅଙ୍କୁ ତାମିଲନାଡ଼ୁ ଚାଲାଣ କରୁଥିବା ଚକ୍ରଧରପୁର ଆର୍ପିଏଫ୍ ରାଉରକେଲା ଆର୍ପିଏଫ୍କୁ ସୂଚନା ଦେଇଥିଲା ।

ସେମାନେ ଟ୍ରେନର ସାଧାରଣ ବଗିରେ ଯାଉଥିବା ମଧ୍ୟ ଆର୍ପିଏଫ୍ ନିକଟରେ ଖବର ଥିଲା । ଟ୍ରେନ ରାଉରକେଲାରେ ପହଞ୍ଚିଲା ପରେ ଆର୍ପିଏଫ୍ ଯବାନମାନେ ସାଧାରଣ ବଗିରେ ଚଢ଼ଉ କରି ୪ ଜଣ ପୁଅ ଓ ୧୦ ଜଣ ଝିଅଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ସାଙ୍ଗରେ ନେଇ ଯାଉଥିବା ସିଲଭାରାଜ ମଧ୍ୟ ଆରପିଏଫ୍ ଦ୍ୱାରା ଧରାପଡ଼ିଥିଲା । ଆର୍ପିଏଫ୍ ସମସ୍ତଙ୍କୁ ରେଳବାଇ ଥାନାରେ ଜିମା ଦେଇଛି । ପୁଲିସ ସେମାନଙ୍କୁ ଅଟକ ରଖି ଜେରା କରୁଛି । ବୟସ ଲୁଚାଇବା ପାଇଁ ସମସ୍ତଙ୍କର ଜାଲ ଆଧାର କାର୍ଡ଼ ପ୍ରସ୍ତୁତ କରାଯାଇଛି ।

କିଛି ଆଧାର କାର୍ଡ଼ ମଧ୍ୟ ପୁଲିସ ହାତରେ ପଡ଼ିଛି । ତାମିଲନାଡ଼ୁରେ ମାସିକ ୧୨ ହଜାର ଟଙ୍କା ଦରମାରେ କାମ ଯୋଗାଇ ଦେବ ବୋଲି କେ.ସିଲଭାରାଜ ଶ୍ରମିକମାନଙ୍କୁ କହିିଥିଲା । ଖବର ପାଇ ଚାଇଲଡ ଲାଇନ କର୍ମକର୍ତ୍ତାମାନେ ଥାନାରେ ପହଞ୍ଚିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ପରିବାର ସହିତ ପୁଲିସ ଯୋଗାଯୋଗ କରୁଥିବା ଖବର ମିଳିଛି ।

By amfnews

Related Post