Wed. Dec 25th, 2024

ରାଉରକେଲାର ୪ ୱାର୍ଡ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ୱାର୍ଡବାସଙ୍କ ସଫଳତା ଶୋଭାଯାତ୍ରା, ସିଟି ଅଡିଟୋରିୟମରେ ମିଳିତ ସମାରୋହ

By amfnews Aug 10, 2018 #Featured
123 Views

ରାଉରକେଲା, ୧୦ା୮: ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ଦିଗରେ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୪, ୧୪, ୧୫ ଓ ୧୯ ନମ୍ବର ୱାର୍ଡକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳରେ ପରିଣତ କରିବାରେ ମିଳିଛି ଏହି ସଫଳତା ।

ଏହି ସଫଳତାକୁ ସମସ୍ତ ୪ଟି ୱାର୍ଡ ଲୋକେ ମିଳିତ ଭାବେ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି । ଏହି ଅବସରରେ ଗୁରୁବାର ଦିନ ପୂର୍ବାହ୍ନରେ ୱାର୍ଡ ବାସିନ୍ଦାମାନେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସାମ୍ନାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାକୁ ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଆମ୍ବେଦକର ଛକ ହୋଇ ସିଟି ଅଡିଟୋରିୟମ ଠାରେ ପହଞ୍ôଚବା ପରେ ସେଠାରେ ଉପସ୍ଥିତ ମହାନଗର ନିଗମ ତଥା ସ୍ମାର୍ଟସିଟି ଲିମିଟେଡ କର୍ମଚାରୀମାନେ ସେମାନଙ୍କୁ ସମାରୋହ ସ୍ଥଳକୁ ପାଛୋଟି ନେଇଥିଲେ ।

ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ମହାନଗର ନିଗମ କମିଶନର ତଥା ରାଉରକେଲା ସ୍ମାର୍ଟସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ, ରାଉରକେଲା ଇସ୍ପାତ କାରଖାନା ସହରସେବା ବିଭାଗର ଅଧିକାରୀ ପି.କେ. ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କର୍ମଚାରୀଙ୍କ ନିରନ୍ତର ପ୍ରଚେଷ୍ଟା ତଥା ୱାର୍ଡ ବାସିନ୍ଦାଙ୍କ ସହଯୋଗ ଫଳରେ ଏହି ସଫଳତା ମିଳିପାରିଛି । ଆଗାମୀ ଦିନରେ ସହରର ସମସ୍ତ ୱାର୍ଡକୁ ଏଭଳି ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ମହାନଗର ନିଗମ କମିଶନର ଶ୍ରୀମତୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ଏହି ୪ଟି ୱାର୍ଡରେ ଥିବା ସମସ୍ତ ବସ୍ତିରେ ଖୁବ୍ଶୀଘ୍ର ସୌରଶକ୍ତି ସମ୍ପନ୍ନ ଷ୍ଟ୍ରୀଟ୍ଲାଇଟ୍ ଲଗାଇବା ପାଇଁ ଶ୍ରୀମତୀ ପଣ୍ଡା ଘୋଷଣା କରିଥିଲେ ।

ଆଜି ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଘୋଷିତ ହୋଇଥିବା ୱାର୍ଡ ନମ୍ବର ୪ରେ ସମୁଦାୟ ୨୪୬୭ଟି ପରିବାର ବସବାସ କରୁଥିବା ବେଳେ ପୂର୍ବରୁ ୨୧୧୨ଟି ପରିବାର ପାଇଖାନା ବ୍ୟବହାର କରୁଥିଲେ । ପରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ସଚେତନତା ତଥା ସାହାଯ୍ୟ ଯୋଗାଇ ଦିଆଯିବା ପରେ ୧୫୭ଟି ପରିବାର ବ୍ୟକ୍ତିଗତ ପାଇଖାନା ନିର୍ମାଣ କରି ବ୍ୟବହାର କରୁଛନ୍ତି । ଅବଶିଷ୍ଟ ପରିବାର ୱାର୍ଡରେ ଥିବା ୩ଟି ଗୋଷ୍ଠୀ ଶୌଚାଳୟ ଏବଂ ନିଜ ୱାର୍ଡରେ ଥିବା ଅନ୍ୟ ପରିବାରମାନଙ୍କ ସହ ମିଳିତ ଭାବେ ସେମାନଙ୍କ ପାଇଖାନାକୁ ବ୍ୟବହାର କରୁଛନ୍ତି । ସେହିପରି ୱାର୍ଡ ନମ୍ବର ୧୪ରେ ସମୁଦାୟ ୧୬୮୩ ପରିବାର ମଧ୍ୟରୁ ୧୪୨୫ ପରିବାର ପୂର୍ବରୁ ପାଇଖାନା ବ୍ୟବହାର କରୁଥିଲେ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ସେଠାରେ ୧୫୦ଟି ପରିବାର ଏବେ ପାଇଖାନା ନିର୍ମାଣ କରି ବ୍ୟବହାର କରୁଛନ୍ତି । ଅବଶିଷ୍ଟ ପରିବାର ଏବେ ୱାର୍ଡରେ ଥିବା ୨ଟି ଗୋଷ୍ଠୀ ଶୌଚାଳୟ ତଥା ବ୍ୟକ୍ତିଗତ ପାଇଖାନା ନିର୍ମାଣ କରିଥିବା ଅନ୍ୟ ୱାର୍ଡ ବାସିନ୍ଦାଙ୍କ ସହ ମିଳିତ ଭାବେ ସେମାନଙ୍କ ପାଇଖାନା ବ୍ୟବହାର କରୁଛନ୍ତି । ସେହିପରି ୱାର୍ଡ ନମ୍ବର ୧୫ରେ ୧୦୨୯ ପରିବାର ରହୁଥିବା ବେଳେ ୮୬୯ ପରିବାର ପୂର୍ବରୁ ପାଇଖାନା ବ୍ୟବହାର କରୁଥିଲେ ।

ସ୍ୱଚ୍ଛ ଭାରତ ମିଶନ ଜରିଆରେ ସେଠାରେ ୬୯ଟି ପରିବାର ଏବେ ପାଇଖାନା ନିର୍ମାଣ କରି ବ୍ୟବହାର କରୁଛନ୍ତି । ଅବଶିଷ୍ଟ ପରିବାର ଏବେ ୱାର୍ଡରେ ଥିବା ଗୋଟିଏ ଗୋଷ୍ଠୀ ଶୌଚାଳୟକୁ ବ୍ୟବହାର କରୁଛନ୍ତି ଏବଂ ଅନ୍ୟ ୱାର୍ଡ ବାସିନ୍ଦାଙ୍କ ସହ ମିଳିତ ଭାବେ ସେମାନଙ୍କ ପାଇଖାନା ବ୍ୟବହାର କରୁଛନ୍ତି । ସେହିପରି ୱାର୍ଡ ନମ୍ବର ୧୯ ଅଧିନରେ ୧୨୮୮ ପରିବାର ବସବାସ କରୁଥିବା ବେଳେ ୧୧୦୫ ପରିବାରଙ୍କ ନିକଟରେ ପୂର୍ବରୁ ପାଇଖାନା ଥିଲା । ମହାଗନର ନିଗମ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ସେଠାରେ ୬୩ଟି ପରିବାର ଏବେ ପାଇଖାନା ନିର୍ମାଣ କରି ବ୍ୟବହାର କରୁଛନ୍ତି । ଅବଶିଷ୍ଟ ପରିବାର ଏବେ ୱାର୍ଡରେ ଥିବା ୨ଟି ଗୋଷ୍ଠୀ ଶୌଚାଳୟ ତଥା ବ୍ୟକ୍ତିଗତ ପାଇଖାନା ନିର୍ମାଣ କରିଥିବା ଅନ୍ୟ ୱାର୍ଡ ବାସିନ୍ଦାଙ୍କ ସହ ମିଳିତ ଭାବେ ସେମାନଙ୍କ ପାଇଖାନା ବ୍ୟବହାର କରୁଛନ୍ତି ବୋଲି ଶ୍ରୀମତୀ ପଣ୍ଡା ଏହି ସମାରୋହରେ ସୂଚନା ଦେଇଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ରାୁରକେଲା ସହରକୁ ସମ୍ପୂର୍ଣ୍ଣ ବାହ୍ୟ ମଳତ୍ୟାଗମୁକ୍ତ କରିବା ଲାଗି ରାଉରକେଲା ସ୍ମାର୍ଟସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ ପୂରଣ କରିବା ପାଇଁ ସମସ୍ତ ସହରବାସୀ ଏବଂ ଅନ୍ୟ ବେସରକାରୀ ସଙ୍ଗଠନ ତଥା ଅନୁଷ୍ଠାନମାନେ ଆଗେଇ ଆସିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସେହିପରି ଅନ୍ୟ ବକ୍ତାମାନେ ବାହ୍ୟ ମଳତ୍ୟାଗର ଭୟାବହତା ସମ୍ପର୍କରେ ସୂଚନା ଦେବା ସହ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଗଠନ କରିବା ନିମନ୍ତେ ଆଗେଇ ଆସିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମାରୋହରେ ବାହ୍ୟ ମଳମୂତ୍ର ତ୍ୟାଗର କୁପ୍ରଭାବ ସମ୍ପର୍କରେ କିଛି ଉତ୍ସାହୀ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ରାଉରକେଲା ସ୍ମାର୍ଟସିଟି ଲିମିଟେଡ କର୍ତ୍ତୃପକ୍ଷ, ରାଉରକେଲା ମହାନଗର ନିଗମ ଓ ଫିଡ୍ବ୍ୟାକ ଫାଉଣ୍ଡେସନର ମିଳିତ ପ୍ରୟାସରେ ଅନ୍ୟାନ୍ୟ ଅଞ୍ଚଳକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳରେ ପରିଣତ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି ।

ପ୍ରଥମେ ବିଭାଗୀୟ ଅଧିକାରୀ ତଥା ଫିଡ୍ବ୍ୟାକ ଫାଉଣ୍ଡେସନର କର୍ମକର୍ତ୍ତାମାନେ ବିଭିନ୍ନ ୱାର୍ଡ ତଥା ବସ୍ତି ବାସିନ୍ଦାଙ୍କୁ ବାହ୍ୟ ମଳମୂତ୍ର ତ୍ୟାଗର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ ରଖିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ନିରୀକ୍ଷଣ କମିଟିି ମାନ ଗଠନ କରୁଛନ୍ତି । ଏହି ନିରୀକ୍ଷଣ କମିଟି ପ୍ରତିଦିନ ଭୋର୍ ତଥା ସନ୍ଧ୍ୟା ସମୟରେ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ବୁଝାଇ ବ୍ୟକ୍ତିଗତ ପାଇଖାନା ତଥା ଗୋଷ୍ଠୀ ପାଇଖାନା ବ୍ୟବହାର ପାଇଁ ପ୍ରେରିତ କରୁଛନ୍ତି । ଘରକୁ ଘର ବୁଲି ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ଗୋଷ୍ଠୀ ବୈଠକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ।

ସମାରୋହରେ ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାୟୁକ୍ତ ଶ୍ରୀମତୀ ବିଲୁଙ୍ଗ, ରାଉରକେଲା ସ୍ମାର୍ଟସିଟି ଲିମିଟେଡ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ପଟେଲ ଓ ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ମହାନଗର ନିଗମ ଉପାୟୁକ୍ତ ସୀତାଦେବୀ ମାଝି ଧନ୍ୟବାଦ ଦେଇଥିଲେ ।

By amfnews

Related Post