Fri. Mar 6th, 2026

ରଥ ପୂର୍ବରୁ ଅଶାନ୍ତ ପୁରୀ, ବ୍ୟବସାୟୀଙ୍କୁ ଗୁଳିମାଡ଼

189 Views

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାର ୫ ଦିନ ପୂର୍ବରୁ ଆଜି ପୁରୀ ସହରରେ ଗୁଳି ଫୁଟିଛି। ଶନିବାର ସନ୍ଧ୍ୟା ୭ଟା ବେଳେ ସମୁଦ୍ରକୂଳ ଥାନା ଗୌଡବାଡ ସାହିରେ ଜଣେ ବ୍ୟବସାୟୀଙ୍କୁ ଘରୁ ଡାକିଆଣି ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଛନ୍ତି। ଗୁଳିମାଡ଼ରେ ବ୍ୟବସାୟୀ ସୁକାନ୍ତ ସାହୁ (୪୦) ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟବସାୟୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ସୁକାନ୍ତଙ୍କ ଛାତିରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ତେବେ ରଥଯାତ୍ରା ପାଇଁ ସମଗ୍ର ପୁରୀ ସହର ପୁଲିସ ଛାଉଣିରେ ଥିବା ବେଳେ ଏହି ଗୁଳିକାଣ୍ଡ ପୁଲିସ ପାଇଁ ଖୋଲା ଆହ୍ବାନ ସୃଷ୍ଟି କରିଛି।

ଗୌଡବାଡ ସାହି ମାଛ ମାର୍କେଟ୍‌ ନିକଟରେ ରହୁଛନ୍ତି ବ୍ୟବସାୟୀ ସୁକାନ୍ତ ସାହୁ। ଆଜି ସନ୍ଧ୍ୟା ୭ଟା ବେଳେ ଶ୍ରୀ ସାହୁ ଘରେ ବସି ଟିଭି ଦେଖୁଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଘରୁ ଡାକିଥିଲେ। ଶ୍ରୀ ସାହୁ ଘର ବାହାରକୁ ଆସିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଦୁଇ ଯୁବକ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଶ୍ରୀ ସାହୁ ବିରୋଧ କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ହଠାତ୍‌ ନିଜ ପ୍ୟାଣ୍ଟ ପକେଟ୍‌ରୁ ପିସ୍ତଲ ବାହାର କରି ତାଙ୍କ ଛାତିକୁ ଗୁଳି ମାରିଥିଲା। ଗୁଳିମାଡ଼ ପରେ ଶ୍ରୀ ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବା ଦେଖି ଦୁର୍ବୃତ୍ତଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ଧାଇଁ ଆସି ଶ୍ରୀ ସାହୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌କୁ ନେଇ ଯାଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ବେଳେ ସମୁଦ୍ରକୂଳ ଅଞ୍ଚଳରେ ଦାଦାବଟି ପ‌‌ାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଥରେ ପତିଆରା ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଉଛି। ସୂଚନା ମୁତାବକ, ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ହୋଟେଲରୁ ବଟି ଆଦାୟକୁ ନେଇ ବିବାଦ ରହିଥିଲା। ଏହି ଘଟଣାକୁ ନେଇ ପୂର୍ବରୁ ବ୍ୟବସାୟୀ ପୂର୍ଣ୍ଣ ସାହୁଙ୍କୁ ହତ୍ୟା କରାଯାଇଥିବା ବେଳେ କିଛି ଅଭିଯୁକ୍ତ ଜେଲ୍‌ ଯାଇଥିଲେ। ଆଜିର ଏହି ଘଟଣା ଗ୍ୟାଙ୍ଗ୍ ୱାର ଆଡକୁ ଇଙ୍ଗିତ କରୁଛି। ପୁଲିସ ଏହି ଘଟଣାକୁ ଗୁରୁତ୍ବର ‌ସହ ନେଇ ଛାନ୍‌ଭିନ୍ ଆରମ୍ଭ କରିଛି।

By amfnews

Related Post