ଭୁବନେଶ୍ବର/ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀ ଅପେକ୍ଷା କରିଛନ୍ତି ମହାପ୍ରଭୁ ସେଦିନ ବଡ଼ଦାଣ୍ଡକୁ ଓହ୍ଲାଇବେ ନା ନାହିଁ। କେନ୍ଦ୍ର ସରକାର ଏହି ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ କୋର୍ଟକୁ ପୂର୍ବରୁ ଠେଲି ସାରିଛନ୍ତି। ପୁରୀରେ ରଥପ୍ରସ୍ତୁତି ଜୋରସୋରରେ ଚାଲିଛି। କିନ୍ତୁ ରଥଯାତ୍ରା କରାଯିବ କି ନାହିଁ, ଏପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ଶୁଣାଇନାହାନ୍ତି ରାଜ୍ୟ ସରକାର। ପ୍ରସଙ୍ଗଟି ସହିତ ସାମାଜିକ, ଧାର୍ମିକ ଓ ରାଜନୈତିକ କାରଣ ଯୋଡ଼ି ହୋଇଥିବାରୁ ପ୍ରସଙ୍ଗଟି ଅଧିକ ଜଟିଳ ହୋଇପଡ଼ିଛି। ସରକାରୀ ନିଷ୍ପତ୍ତି ବିଳମ୍ବ ପରିପ୍ରେକ୍ଷୀରେ ଏବେ ମାମଲା ସୁପ୍ରିମକୋର୍ଟକୁ ଗଲାଣି। ତିନି ତିନିଟି ପିଟିସନ୍ ଏବେ ସର୍ବୋଚ୍ଚ ଅଦାଲତଙ୍କ ସାମ୍ନାରେ ରହିଛି। ଏହା ଉପରେ କୋର୍ଟ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି। ପୂର୍ବରୁ ହାଇକୋର୍ଟରେ ସରକାର କହିଛନ୍ତି, ରଥଯାତ୍ରା କରାଯିବ କି ନାହିଁ ସେନେଇ ଓଡିଶା ସରକାର ରଥଯାତ୍ରାର ନିର୍ଦ୍ଧାରିତ ତାରିଖର ଖୁବ୍ ଅଳ୍ପଦିନ ପୂର୍ବରୁ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ।

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଓଡ଼ିଶା ହାଇକୋର୍ଟ ଗତ ୧୧ ତାରିଖରେ ଦେଇଥିବା ରାୟକୁ ଚାଲେଞ୍ଜ କରି ଆଜି ଭାରତୀୟ ବିକାଶ ପରିଷଦ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲ୍ପି) ଦାୟର କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡ଼ିଶାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଉଛି, ପୁରୀରେ ମଧ୍ୟ। ପୁରୀକୁ ଗତ ମାସରେ ରେଡ ଜୋନ୍ ଭାବେ ଘୋଷଣା କରାଯାଇଛି। ଯଦି ପୁରୀରେ ରଥଯାତ୍ରା ଲାଗି ଅନୁମତି ଦିଆଯାଏ, ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ପହଣ୍ଡି ବିଜେରେ ସାମାଜିକ ଦୂରତାକୁ ପାଳନ କରାଯାଇପାରିବ ନାହିଁ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ସ, ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ଆଇନକୁ ଉଲ୍ଲଂଘନ କରାଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ହାଇକୋର୍ଟ ମେସିନ କିମ୍ବା ହାତୀ ଦ୍ବାରା ରଥ ଟାଣିବା ଲାଗି ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ ପ୍ରସଙ୍ଗରେ ବି ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବାକୁ ନେଇ ଯେଉଁଭଳି ଭାବେ ପ୍ରସ୍ତୁତ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡୁଛି ତାହା ମଧ୍ୟ ବେଆଇନ ଓ ଅସାମ୍ବିଧାନିକ ହେବ ବୋଲି ପିଟିସନ୍ରେ କୁହାଯାଇଛି। ବିଭିନ୍ନ ସମୟରେ କିଭଳି ରଥଯାତ୍ରା ବନ୍ଦ ହୋଇଛି, ସେ ସଂକ୍ରାନ୍ତ ବିଶେଷଜ୍ଞଙ୍କ ଲେଖା ଦାଖଲ ହୋଇଛି।

ପୁରୀ ଦୋଳମଣ୍ଡପ ସାହିର ରଘୁନାଥ ଗୋଚ୍ଛିକାର କିନ୍ତୁ ରଥଯାତ୍ରା ସପକ୍ଷରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପୁରୀ ସହର ଏବେ ବି ଗ୍ରିନ୍ ଜୋନ୍ ରହିଛି ଓ ରଥଯାତ୍ରା ନୀତି ପୁଲିସ, ସେବାୟତ ପ୍ରମୁଖଙ୍କୁ ନେଇ କରାଯାଇପାରିବ ବୋଲି ଦର୍ଶାଇଛନ୍ତି। ଏକଥା ବି କୁହାଯାଇଛି ଯେ ମହାପ୍ରଭୁ ଏବେ ଅଣସର ଘରେ ଅଛନ୍ତି। ଯଦି ରଥଯାତ୍ରା ନୀତି ସଂପାଦନ ନ ହେବ, ତେବେ ଶ୍ରୀଜିଉମାନେ ଗୋଟିଏ ବର୍ଷ ପାଇଁ ସେହିଠାରେ ହିଁ ରହିବେ ଓ ଭକ୍ତ ଦର୍ଶନ ପାଇବେ ନାହିଁ। ୧୨ ବର୍ଷ ଧରି ରଥଯାତ୍ରା ବି ହୋଇପାରିବ ନାହିଁ। ଏହା ଧାର୍ମିକ ଭାବାବେଗ ସହିତ ଯୋଡି ହୋଇଛି ବୋଲି ମଧ୍ୟ କୋର୍ଟଙ୍କ ନଜରକୁ ଆଣିଛନ୍ତି। ଏଭଳି ପରସ୍ପର ବିରୋଧୀ ପିଟିସନ୍ କାରଣରୁ ମାମଲାର ଗମ୍ଭୀରତା ବଢିଯାଇଛି। ଏହା ଉପରେ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ, ସର୍ବୋପରି କେନ୍ଦ୍ର ସରକାର ପୂର୍ବରୁ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ଛାଡ଼ିଥିବା ବେଳେ ପରିବର୍ତିତ ପରିସ୍ଥିତିରେ ଆଉ କିଛି ମତ ରଖିବେ ନା ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ରଥଯାତ୍ରା ନିଷ୍ପତ୍ତି ସରକାରଙ୍କ ଉପରେ ହାଇକୋର୍ଟ ଛାଡ଼ିବା ପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇନଥିବା ଜଣାପଡ଼ିଛି। ଅପରପକ୍ଷେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଜୟନ୍ତ କୁମାର ବଳଙ୍କ ଦ୍ବାରା କ୍ୟାଭେଟ୍ ଦାଖଲ କରାଯାଇଛି।