Sun. Nov 24th, 2024

ରଥଯାତ୍ରା: ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି, ଘଣ୍ଟ କାହାଳୀରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

By amfnews Jul 4, 2019 #Featured
161 Views

ପୁରୀ, ଜୁଲାଇ ୪ : ଘଣ୍ଟର ତାଳେ ତାଳେ ଝୁଲି ଝୁଲି ଆସୁଛନ୍ତି ବଡ଼ ଭାଇ ବଳଭଦ୍ର । ପୁରୀରେ ଆଜି ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ପ୍ରଥମ ଚରଣ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ପହଣ୍ଡି ବୀଜେ ନୀତି ଆରମ୍ଭ ହୋଇଛି ।

ପ୍ରଥମ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଛି । ସକାଳ ଧୂପ ପରେ ଗୋଟି ପହଁଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ଚକ୍ରବୀର ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି । ସୁଦର୍ଶନ ରଥରେ ଚଢ଼ି ସାରିଛନ୍ତି । ପରେ ପରେ ବଡ଼ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ମୁଣ୍ଡରେ ଟାହିଆ ଦୋହଲି ଯାଉଛି । ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ପ୍ରଭୁ ଶ୍ରୀବଳଭଦ୍ର । ଘଣ୍ଟ, ଖୋଳ, କାହାଳୀର ତାଳେ ପ୍ରକମ୍ପିତ ହେଉଛି ଗଗନ ପବନ । ମହାପ୍ରଭୁଙ୍କ ଟିକକ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହେବାର କାର୍ଯ୍ୟକ୍ରମ ରହିଛି ।  ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ, ୧୪୨ ପ୍ଲାଟୁନ୍ ଫୋର୍ସ, ୨ କଂପାନି ଆର୍‌ଏଏଫ୍‌ ଓ ୩ ସ୍ପେସାଲ ଟାକ୍ଟିକାଲ ୟୁନିଟ୍ । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି ।

By amfnews

Related Post