Wed. Dec 25th, 2024

ଯୌତୁକ ଜନିତ ହତ୍ୟା ଅଭିଯୋଗ: ସ୍ୱାମୀ ଗିରଫ

By amfnews Oct 23, 2018 #Featured
171 Views

ରାଉରକେଲା, ୨୧ା୧୦ : ଯୌତୁକ ନିର୍ଯାତନା ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଶାଶୁ, ଶଶୁର ଓ ଦୁଇ ନଣନ୍ଦ ହତ୍ୟା କରିଥିବା ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ଜାମିନ ଖାରଜ ହୋଇଯାଇଛି । ମାମଲାରେ ସମ୍ପୃକ୍ତ ଥିବା ଶଶୁର, ଶାଶୁ ଓ ଦୁଇ ନଣନ୍ଦ ଗିରଫ ଭୟରେ କେଉଁଆଡେ ଫେରାର ହୋଇଥିବା ଜଣାପଡିଛି । ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ବେଗୁନିଆ ପାଞ୍ଚପଡ଼ା ଅଞ୍ଚଳର ଗୀତାଞ୍ଜଳି ଦଳେଇ ଛେଣ୍ଡ କଲୋନୀ ସି୩ଏଲ୍-୪୨ରେ ରହୁଥିବା ଘନଶ୍ୟାମ ବେହେରା ଓ ବାସନ୍ତୀଲତା ବେହେରାଙ୍କ ପୁଅ ଶ୍ରୀକାନ୍ତ ବେହେରାଙ୍କୁ ୨୦୧୭ ମସିହା ଜୁନ୍ ମାସ ୨୫ ତାରିଖରେ ବିବାହ କରିଥିଲେ ।

ବିବାହ ବେଳେ ବରପକ୍ଷଙ୍କ ଦାବି ମୁତାବକ କନ୍ୟାଘର ଲୋକେ ନଗଦ ୨ ଲକ୍ଷ ଟଙ୍କା, ବାଟ ଖର୍ଚ୍ଚ ୬୫ ହଜାର ଟଙ୍କା, ମିଠା ପାଇଁ ୧୦ ହଜାର ଟଙ୍କା, ପ୍ରାୟ ୧୦/୧୫ ଭରି ଓଜନର ସୁନା ଅଳଙ୍କାର ଯୌତୁକ ଆକାରରେ ଦେଇଥିବା ବେଳେ ବିବାହରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ବିବାହ ପରେ ଗୀତାଞ୍ଜଳି ଛେଣ୍ଡ କଲୋନୀରେ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦଙ୍କ ପାଖରେ ରହୁଥିଲେ । ତେବେ ଏଲ୍ସିଡି, ଫ୍ରିଜ, ସୋଫା ସେଟ୍ ସମେତ ଅନ୍ୟାନ୍ୟ ଆସବାବପତ୍ର ପାଇଁ ଗୀତାଞ୍ଜଳିଙ୍କ ଉପରେ ସ୍ୱାମୀ, ଶାଶୁ ଓ ଦୁଇ ନଣନ୍ଦ ଚାପ ପକାଉଥିଲେ ।

ମାତ୍ର ଗୀତାଞ୍ଜଳିଙ୍କ ପିତା ହୃଦରୋଗରେ ଆକ୍ରାନ୍ତ ଥିବା ମେଡ଼ିକାଲ ଖର୍ଚ୍ଚ ବଢ଼ି ଯିବାରୁ ଆଉ ବରପକ୍ଷଙ୍କ ଦାବି ପୂରଣ କରି ପାରିନଥିଲେ । ଫଳରେ ଗୀତାଞ୍ଜଳିଙ୍କ ଉପରେ ବିଭିନ୍ନ ଉପାୟରେ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା । ଗୀତାଞ୍ଜଳି ଟିଭି ଦେଖିଲେ ସ୍ୱାମୀ ଓ ଅନ୍ୟମାନେ ବିରକ୍ତ ହେଉଥିଲେ । ଏଭଳି ଭାବେ ଗତ ୬ ମାସ ହେଲା କୁଆଡ଼େ ତାଙ୍କ ଉପରେ ନିର୍ଯାତିତା ହୋଇଆସୁଥିଲେ । ଗୀତାଞ୍ଜଳିଙ୍କ ଦାଦା ନିତ୍ୟାନନ୍ଦ ଓ ଖୁଡ଼ି ଏସବୁ ଜାଣିବା ପରେ ସେମାନେ ରାଉରକେଲା ଆସି ଜ୍ୱାଇଁ ଓ ତାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ ।

ଗତ ୧୪ ତାରିଖରେ ଗୀତାଞ୍ଜଳି ଦାଦା-ଖୁଡ଼ିଙ୍କ ସହିତ କଥା ହୋଇଥିଲେ । ୧୫ ତାରିଖ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଜ୍ୱାଇଁ ଶ୍ରୀକାନ୍ତ ଫୋନ୍ କରି ଗୀତାଞ୍ଜଳି ଶୋଇବା ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ଜଣାଇଥିଲେ । ଗୀତାଞ୍ଜଳିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି କନ୍ୟା ଘର ପକ୍ଷରୁ ଅଭିଯୋଗ ହୋଇଛି । ସ୍ୱାମୀ, ଶାଶୁ, ଶଶୁର ଓ ଦୁଇ ନଣନ୍ଦ ସୁମିତ୍ରା ତରାଇ ଓ ସୁଚିତ୍ରା ବେହେରା ମିଳିମିଶି ଗୀତାଞ୍ଜଳିଙ୍କୁ ମାରି ଦେଇଥିବା ତାଙ୍କ ଦାଦା ଅଭିଯୋଗ କରିଛନ୍ତି ।

ଶୋଇବା ଘର ଭିତରୁ ବନ୍ଦ ନକରି ଗୀତାଞ୍ଜଳି କିପରି ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନ ଉଠିଛି । ଶବ ଫ୍ୟାନରୁ ଝୁଲି ମାଟିରେ ଘର ଚଟାଣକୁ ସ୍ପର୍ଶ କରୁଥିଲା । ରାତି ୧୦ଟା ବେଳେ ପରିବାର ଲୋକେ କୁଆଡ଼େ ଯାଇଥିଲେ ବୋଲି ଶ୍ରୀ ଦଳେଇ ପ୍ରଶ୍ନ କରିଛନ୍ତି । ଗୀତାଞ୍ଜଳି ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଶ୍ରୀ ଦଳେଇ ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗ ଆଧାରରେ ୪୯୮(ଏ), ୩୦୩, ୩୦୪ (ବି), ୩୪ ଆଇପିସି ଏବଂ ୪ ଡିପି ଆକ୍ଟରେ ମାମଲା ରୁଜୁ କରି ସ୍ୱାମୀ ଶ୍ରୀକାନ୍ତଙ୍କୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ପରେ ତଦନ୍ତ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ଥାନା ଅଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟ କହିଛନ୍ତି ।

By amfnews

Related Post