Tue. Dec 24th, 2024

ଯାଜପୁର ଜିଲ୍ଲାର ଡ୍ରେନେଜ ଡିଭିଜନ କାଣୀନଦୀ ଖୋଳାରେ ଆଖିବୁଜା ଦୁର୍ନିତି

manasranjanbiswal07@gmail.com' By Manas Ranjan Biswal Jun 15, 2018 #Featured
(Representational Image)
302 Views

ଯାଜପୁର,୧୫/୦୫(ସ୍ୱ.ପ୍ର): କୃଷି ଓ କୃଷକଙ୍କ ସ୍ୱାର୍ଥରକ୍ଷା ଅପେକ୍ଷା ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମାଲେମାଲ ହେବାକୁ ବିଭିନ୍ନ ପ୍ରକଳ୍ପ କରାଯାଇ ବହୁ କୋଟି ଟଙ୍କା ହଡପର ଯୋଜପା ଚାଲିଛି । ରକ୍ଷକ ସାଜିଥିବା ବିଭାଗୀୟ ଅଧିକାରୀମାନେ ଭକ୍ଷକ ସାଜିଥିବାରୁ ଏଭଳି ହରିଲୁଟ ଅଧିକ ସହଜ ହୋଇଛି । ଏପରିକି ଅନେକ କାର୍ଯ୍ୟର ଠିକାଦାରୀ କାର୍ଯ୍ୟରେ ଖୋଦ ବିଭାଗୀୟ ଅଧିକାରୀ ଭାଗ ରହି ଭିତିରିଆ ଠିକାଦାରୀ କରୁଥିବାର ଖବର ଯେତିକି ଆଶ୍ଚର୍ଯ୍ୟଜନକ ତତୋଧିକ ଉଦବେଗ ଜନକ । ଏହାର ଦୃଷ୍ଟାନ୍ତ ସାଜିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କାଣୀନଦୀ ଏବଂ ଏହାର ପାଟନାଳୀ ଖନନ ଓ ସଫେଇ କାର୍ଯ୍ୟ । ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନିତି ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

ଏହି କାର୍ଯ୍ୟ ପାଇଁ ଡିଭିଜନ ପକ୍ଷରୁ ୪ କୋଟି ୭୭ ଲକ୍ଷ ୧୩ ହଜାର ୩୦୫ ଟଙ୍କା ମଞ୍ଜରୀ ହୋଇଛି । ନିୟମ ଦୃଷ୍ଟିରୁ କାର୍ଯ୍ୟ ଆରମ୍ବ ପୂର୍ବରୁ ସୂଚନା ଫଳକ ଲଗାଯାଏ । ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରେନ୍ସି ସ୍ଳୋଗାନର ସଫଳ ରୂପାୟନ ପାଇଁ ଏହା ନିହାତି ଜରୋରୀ । ଲୋକେ ସରକାରୀ ଯୋଜନା ନେଇ ଖବର ପାଇଲେ ଅଧିକ ସଚେତନ ହେବା ସହ ଦୁର୍ନିତିକୁ ବିରୋଧ କରିବେ । ଏହାଦ୍ୱାରା ସରକାରୀ ଯୋଜନାର ସଫଳ ରୂପାୟନ ହେବ । ହେଲେ ଏଭଳି ଏକ ବଡ ପ୍ରକଳ୍ପ ନେଇ ସୂଚନା ଫଳକ ଲଗାଯାଇ ନଥିଲା । ଏହାର ମୂଳ କାରଣ ପ୍ରକଳ୍ପ ଆରମ୍ବ ପୂର୍ବରୁ ଏହି ପ୍ରକଳ୍ପକୁ ହରିଲୁଟ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ଲୋକଙ୍କୁ ଅନ୍ଧାରରେ ରଖିବାକୁ ସୂଚନା ଫଳକ ଲାଗଯାଇନଥିଲା । ଆହୁରି ମଧ୍ୟ ଏହି କାର୍ଯ୍ୟ ଠିକାଦାରୀରେ ଭିତିରିଆ ସ୍ଥାନୀୟ ଏକଜ୍ୟୁଟିଭ ଇଞ୍ଜିନିୟର ମଙ୍ଗଳୁ ବିଶ୍ୱାଳ ଭାଗ ରହିଥିବାର ଜଣାପଡିଛି । ଏହାଦ୍ୱାରା ଏଠାରେ ଖୋଦ ରକ୍ଷକ ହିଁ ଭକ୍ଷକ ସାଜିଛି । ତେବେ ଏଠାରେ କାମରେ ଦୁର୍ନିତି, ସୂଚନା ଫଳକ ଲଗାନଯିବା ନେଇ ବାରମ୍ବାର ଅଭିଯୋଗ, ଜନଅସନ୍ତୋଷ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ନିଜର ମିଛିମିଛିକା ସ୍ୱଚ୍ଛତା ପ୍ରମାଣ କରିବାକୁ ଯାଇ ଛୁଟିଦିନ ରବିବାରରେ ଏକ ତଦନ୍ତ କରାଯାଇଥିଲା । ତେବେ ତଦନ୍ତ ପରେ ଏଠାରେ ୧୯ ଟି ପେଟିନାଳ ସଂଯୋଗ, ୮ ଟି ପାଦଚଲା ରାସ୍ତା, ଗାର୍ଡୱାଲ, ପଥରପ୍ୟାକିଂ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବାର ସୂଚନା ମିଳୁଛି । ଏହି ତଦନ୍ତ ପରେ ସୂଚନା ଫଳକଟିଏ ଲଗାଯାଇଛି ସତ୍ୟ ହେଲେ ଏଥିରେ ପ୍ରକଳ୍ପ ନେଇ ସଂପୂର୍ଣ୍ଣ ବୁଝାପଡିଲା ଭଳି ତଥ୍ୟ ନାହିଁ । ଏଥିରେ ପ୍ରକଳ୍ପ ନେଇ ସଂପୂର୍ଣ୍ଣ ତଥ୍ୟ ନରହି କେବଳ ପ୍ରକଳ୍ପର ନାମ, ଠିକାଦାରଙ୍କ ନାମ, ଅବଧି ଓ ଅଟକଳ ଆଦି ସ୍ଥାନ ପାଇଛି । ତେବେ ଅନୁସନ୍ଧାନ ପରେ ସୂଚନା ଫଳକ ଲଗାଗଲା । ହେଲେ ଏହା ପୂର୍ବରୁ କାହିଁକି ଲଗାଯାଇ ନଥିଲା, ଏଥିନେଇ ଉତରଦାୟୀ ଥିବା ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ, ଏସ.ଡି.ଓ ଏବଂ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ତଦନ୍ତର ସ୍ୱଚ୍ଛତା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି କାର୍ଯ୍ୟ ବ୍ରହ୍ମଚାରୀପାଟଣା ଠାରୁ ଆରମ୍ବ ହୋଇ କଷପା, ମଲ୍ଲୀକାପୁର, ଦୁଦୁରାଅନ୍ତ, ଦତପୁର, ନିଜାମପୁର, କୟାଂ, କମାରହିହି ଆଦି ପଂଚାୟତ ଦେଇ ଯାଇଛି । ଏଠାରେ ଜାଡୁଆ, ବାଉତରା ପାଟରୁ ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହେଉଛି । ଅଥଚ ଡ୍ରେନେଜ ନାମରେ ଏଠାରେ ଏଠାରେ ବହୁକୋଟି ଟଙ୍କା ବ୍ୟୟ ହେଉଛି । ଏଠାରେ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ଦୁରୁପଯୋଗ ନେଇ ଅନୁଧ୍ୟାନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
ଏଠାରେ ମାଟିଖୋଳା ପାଇଁ ପ୍ରୋକଲିନ (୧୧୦/୨୧୦ ମ୍ୟାସିନ) ରେ ଖୋଳା ଯିବାର ନିୟମ ଥିବା ବେଳେ ଛୋଟ ମ୍ୟାସିନରେ କାର୍ଯ୍ୟ ହେଉଛି । ଫଳରେ ନାଳ ଖନନ ଠିକ ଭାବରେ କରାନଯାଇ କେବଳ ଘାସ ଛାଂଚି ଦିଆଯାଇ କାଗଜପତ୍ରରେ ଆବଶ୍ୟକ ମୁତାବକ ତଡାଯାଉ ଥିବାର ଦର୍ଶାଯାଉଛି । ଏହାଦ୍ୱାରା ଜମିରୁ ଅଦିନିଆ ବନ୍ୟାଜଳ ଏବଂ ବନ୍ୟାଜଳ ନିଷ୍କାସନ ହୋଇପାରିବ ନାହିଁ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ନୁହେଁ ବରଂ ଠିକାଦରୀ କରି ମୋଟା ଅଙ୍କର ଅର୍ଥ ହରିଲୁଟ ପାଇଁ ଏହି କାର୍ଯ୍ୟ କରାଯାଉଥିବାର ସାଧାରଣରେ ଅଭିଯୋଗ ହେଉଛି । ଏଥିନେଇ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରାଯାଇ ତଦନ୍ତ ଦାବି କରାଯାଇଛି । ତେବେ ଏହି ସମସ୍ତ ଅଭିଯୋଗକୁ ସ୍ଥାନୀୟ ନିର୍ବାହୀଯନ୍ତ୍ରୀ ଅସ୍ୱୀକାର କରିଛନ୍ତି ।

Related Post