ନୂଆଦିଲ୍ଲୀ, ଡିସେମ୍ବର ୨୨ : ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ-ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଘଟଣାରେ କାର ଭିତରେ ଥିବା ୫ ଜଣ ଯାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି । ବିପରୀତ ଦିଗରୁ ଆସୁଥିବା କଣ୍ଟେନରକୁ ଧକ୍କା ଦେବାରୁ କାରଟି ଜଳିଯାଇଛି । କାରରେ ଥିବା ଲୋକମାନେ ଉତ୍ତର ପ୍ରଦେଶର ଲଖନଉ ଅଂଚଳର ବୋଲି ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚିଛି ।
କୁହାଯାଉଛି ଯେ ଲଖନଉ ନମ୍ବରର ଗାଡ଼ି ୟୁପି ୩୨କେଡବ୍ଲ୍ୟ୬୭୮୮ରେ ଯାତ୍ରୀ ୫ ଜଣ ଦିଲ୍ଲୀ ଅଭିମୁଖେ ଯାଉଥିଲେ । କାର ଯମନା ଏକ୍ସପ୍ରେସ-ୱେରେ ଆଗ୍ରାର ଖନ୍ଦୋଲୀ ଅଂଚଳରେ ପହଂଚିଥିଲା । ସେହି ସମୟରେ ଅପରପାଶ୍ୱର୍ରୁ ଆସୁଥିବା କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲା । ଏହା ଭୟଙ୍କର ଥିଲା । ବଡ଼ ଶବ୍ଦ ମଧ୍ୟ ହୋଇଥିଲା । ଧକ୍କା ହେବା ଫଳରେ କାରଟି ଜଳିଯାଇଥିଲା ଏବଂ ଏହାରି ଭିତରେ ଥିବା ୫ ଜଣ ଲୋକ ଜୀଅନ୍ତା ଜଳିଯାଇଥିଲେ । ପୋଲିସ ପହଂଚିଲା ବେଳକୁ ସମସ୍ତେ ଜଳି ସାରିଥିଲେ ।
ଦୁର୍ଘଟଣା ଅତି ଭୟଙ୍କର ଥିଲା । କାରରେ ଥିବା ଲୋକଙ୍କୁ ବାହାର କରିବାରକୁ ସମୟ ନ ଥିଲା । ଅଗ୍ନିକାଣ୍ଡ ଭୟଙ୍କର ଥିବାରୁ ଲୋକେ କାର ପାଖକୁ ଯିବାକୁ ଚାହିଁଥିଲେ ବି ସମ୍ଭବ ହୋଇପାରି ନଥିଲା । ଲୋକଙ୍କ କହିବା ଅନୁସାରେ ପୋଲିସ ଓ ଅଗ୍ନିଶମ ବିଭାଗର ଗାଡ଼ି ବିଳମ୍ବରେ ପହଂଚିଥିଲା । କାର ଭିତରେ ଥିବା ଲୋକେ ଜଳିଯାଉଥିବା ବେଳେ ଚିତ୍କାର କରୁଥିଲେ । କିନ୍ତୁ ସେମାନଙ୍କୁ କୌଣସି ସହଯୋଗ ମିଳି ନଥିଲା ।
ଆଗ୍ରାରେ ହୋଇଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ଜଣାଇଛନ୍ତି । ସେ ବରିଷ୍ଠ ଅଧିକାରୀଙ୍କୁ ଜରୁରୀକାଳୀନ ଭିତ୍ତିରେ ପହଂଚିବାକୁ ଆଦେଶ ଦେଇଛନ୍ତି । ସେହିପରୀ ପୀଡ଼ିତ ପରିବାରକୁ ଯଥାସମ୍ଭବ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।