ବାରିପଦା : ବର୍ତ୍ତମାନ କୌଣସି ନିର୍ବାଚନ ନାହିଁ। ମାତ୍ର କ୍ଷମତା ପରିବର୍ତ୍ତନକୁ ନେଇ ମୟୂରଭଞ୍ଜରେ ଦେଖାଦେଇଛି ରାଜନୈତିକ ହଟଚମଟ। ମୟୂରଭଞ୍ଜରେ ଘଟିପାରେ ମହାରାଷ୍ଟ୍ର ଭଳି ଘଟଣା। ଜିଲ୍ଲାରେ ଗତ ସାଧାରଣ ନିର୍ବାଚନରେ ୬ ବିଧାୟକ ଏବଂ ସାଂସଦ ପଦ ହାତେଇଥିବା ବିଜେପିକୁ ଲାଗିପାରେ ରାଜନୈତିକ ଝଟ୍କା। ଖୁବ୍ଶୀଘ୍ର ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ। ଏନେଇ ପ୍ରାୟତଃ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଗତ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରି ଜିଲ୍ଲାପରିଷଦ ସଭାପତି ପଦ ହାତେଇଥିଲା ବିଜେପି। ମାତ୍ର ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଏହି ଆସନକୁ ନିଜ ଦଖଲକୁ ନେବାକୁ ବିଜେଡିର ଶୀର୍ଷସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏପରିକି ବିଜେପିର ପ୍ରାୟ ୨୨ରୁ ଊର୍ଧ୍ବ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଜିଲ୍ଲା ବାହାରେ ରଖାଯାଇ ମନ୍ତ୍ରଣା ଜାରି ରହିଥିବା ଚର୍ଚ୍ଚା ହେଉଛି।
୫୬ ଆସନ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ୪୮ ଆସନରେ ବିଜେପି, ୬ ଆସନରେ ବିଜେଡି ଏବଂ ଗୋଟିଏ ଲେଖାଏଁ ଆସନ ଜେଏମ୍ଏମ୍ ଏବଂ ସ୍ବାଧୀନ ସଭ୍ୟ ଜିତିଛନ୍ତି। ମାତ୍ର ବିଜେଡି ଯଦି ବିଜେପିର ୨୨ରୁ ଊର୍ଧ୍ବ ଜିଲ୍ଲାପରିଷଦ ସଭ୍ୟଙ୍କୁ ନିଜ ପଟକୁ ନେବାରେ ସକ୍ଷମ ହୁଏ ତେବେ ସଭାପତି ପଦ ବିଜେପି ହାତରୁ ଚାଲିଯିବ। ତେଣୁ ବିଜେଡି ପକ୍ଷରୁ ଅତ୍ୟନ୍ତ ଗୋପନରେ ଏହି ଅପରେସନ୍କୁ କାର୍ଯ୍ୟକାରୀ କରାଯାଉଥିବା ଜଣାପଡ଼ିଛି। ମୟୂରଭଞ୍ଜ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ପରେ ବିଜେଡି ପାୱାର କରିଡର୍ର ଅତ୍ୟନ୍ତ ଘନିଷ୍ଠ ତଥା ଦଳର ନୂତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଏହି ରାଜନୈତିକ ଗୋଟି ଚାଳନା କରୁଥିବା ଶୁଣିବାକୁ ମଳୁଛି। ଏହି ଅପରେସନ୍ରେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ମୋରଡ଼ା ବିଧାୟକ ରାଜ କିଶୋର ଦାସ ସହଯୋଗ କରୁଥିବା ଜଣାପଡ଼ିଛି। ଏ ନେଇ ଜିଲ୍ଲା ବିଜେଡି ନେତାଙ୍କୁ ବିଶେଷ କିଛି ଜଣାନଥିଲେ ମଧ୍ୟ ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଯୋଜନା ଯଦି ସଫଳ ହୁଏ ତେବେ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ଯୋଜନା ହୋଇଥିବା ଜଣାପଡ଼ିଛି।
ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ଜିଲ୍ଲାସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବିଜେଡି ଜିଲ୍ଲାରେ ବାରମ୍ବାର ପରାସ୍ତ ହେବା ପରେ ମଧ୍ୟ ଯେପରି ଢଙ୍ଗରେ କ୍ଷମତା ହାସଲ କରିବାକୁ ଲାଳାୟିତ ହେଉଛି, ତାହା ଦୁର୍ଭାଗ୍ୟଜନକ। ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଟଙ୍କାର ଲୋଭ ଦେଖାଇ ନିଜ ପକ୍ଷକୁ ନେବାକୁ ଶାସକ ଦଳର ଚେଷ୍ଟା କରି ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରୁଛି। ବିଜେପି ସପକ୍ଷରେ ଜନମତ ଥିବା ବେଳେ ଏହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ପ୍ରାୟ ୩କୋଟି ଟଙ୍କା ବ୍ୟୟ କରି ଏହି ଅପଚେଷ୍ଟା କରାଯାଉଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ଥରେ ମଧ୍ୟ ବିଜେଡି ପକ୍ଷରୁ ଏହିପରି ପ୍ରୟାସ କରାଯାଇଥିଲା। ମାତ୍ର ତାହା ସଫଳ ହୋଇନଥିଲା।ଏ ଥର ମଧ୍ୟ ଏହି ଅପଚେଷ୍ଟା ସଫଳ ହେବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି।