Sun. Mar 8th, 2026

ମୋଦୀ ସରକାରଙ୍କ ନୂଆବର୍ଷ ଉପହାର, ଝଜ୍ଜରରେ ଉଦ୍‌ଘାଟନ ହେବ କର୍କଟ ହସ୍ପିଟାଲ

267 Views

ନୂଆଦିଲ୍ଲୀ, ଡିସେମ୍ବର ୨୬ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ମଙ୍ଗଳବାର କହିଛନ୍ତି, ହରିୟାଣାର ଝଜ୍ଜର ଜିଲ୍ଲାରେ ଦେଶର ସର୍ବବୃହତ୍ତ ରାଷ୍ଟ୍ରୀୟ କର୍କଟ ହସ୍ପିଟାଲ ଉଦ୍‌ଘାଟନ ହେବାକୁ ଯାଉଛି। ଏହି ହସ୍ପିଟାଲକୁ ଦେଶରେ କର୍କଟ ରୋଗୀଙ୍କ ପାଇଁ ଗୁରୁତ୍ୱ ମନେ କରାଯାଉଛି। ଉତ୍ତର ଭାରତରେ କର୍କଟ ରୋଗୀଙ୍କ ପାଇଁ ଏହି ହସ୍ପିଟାଲ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ଏହି ହସ୍ପିଟାଲ ହରିୟାଣା, ପଂଜାବ, ଦିଲ୍ଲୀ ଏବଂ ରାଜସ୍ଥାନ ସହିତ ଅନେକ ରାଜ୍ୟର କର୍କଟ ରୋଗୀଙ୍କୁ ଭଲ କରିବ।

ଦିଲ୍ଲୀର ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି, ଝଜ୍ଜରରେ ନିର୍ମିତ ରାଷ୍ଟ୍ରୀୟ କର୍କଟ ହସ୍ପିଟାଲ ଜାନୁଆରୀ ୩ୟ ସପ୍ତାହରେ ଉଦ୍‌ଘାଟନ ହେବ। ଏହି ହସ୍ପିଟାଲରେ  ୭୧୦ ବେଡ ରହିବ। ଏଥିରେ କର୍କଟ ରୋଗର ଅନୁସନ୍ଧାନ ପାଇଁ ୨୦୦ ବେଡ ବ୍ୟବସ୍ଥା କରାଯାଉଛି। ଏଠାରେ ଓପିଡି ସେବାକୁ ଗତ ସପ୍ତାହରେ ଆଂଶିକ ରୂପରେ ଖୋଲାଯାଇଛି।

ଅତ୍ୟାଧୁନିକ କର୍କଟ ହସ୍ପିଟାଲର ନିର୍ମାଣ ପାଇଁ ୨,୦୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଅପରେସନ ଓ ରେଡିଏସନ ସମେତ ଅନ୍ୟ ସୁବିଧା ମଧ୍ୟ ରହିବ। ଭାରତର ପ୍ରଥମ ଟିସୁ ବ୍ୟାଙ୍କ ରହିବ। ଦିଲ୍ଲୀ ଏମ୍ସ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା ହେବ ବୋଲି କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ଏଠାରେ ରେଡିଏସନ ଏବଂ ନ୍ୟୁକ୍ଲିୟର ମେଡିସିନ ସୁବିଧା ମିଳିବା ଆରମ୍ଭ ହୋଇଯିବ।

By amfnews

Related Post