Thu. Jan 23rd, 2025

ମୋଦି ସରକାରର ଶ୍ର୍ିକ ଓ କୃଷକ ବିରୋଧି ନୀତି ବିରୁଦ୍ଧରେ ମଜଦୁର-କିଷାନ ସଂଘର୍ଷ ସମାବେଶକୁ ସଫଳ ପାଇଁ ସିଆଇଟିୟୁର ବୈଠକ

rklsanchar@gmail.com' By J.N. Pradhan Jul 2, 2018 #Featured
210 Views

ରାଉରକେଲା, ୧/୭: କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ମୋଦି ସରକାରଙ୍କ ୪ ବର୍ଷ ଶାସନରେ ଦେଶର ସବୁଠାରୁ ସରକାରୀ ଆକ୍ରମଣର ଶିକାର ହୋଇଛନ୍ତି ଶ୍ରମିକ ଓ କୃଷକମାନେ । ଦେଶ ସ୍ୱାଧୀନତା ପରଠାରୁ ଏବଂ ପ୍ରାକ୍ ସ୍ୱାଧୀନତା ପରଠାରୁ ଦେଶର ଶ୍ରମିକ ଶ୍ରେଣୀର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଚଳିତ ସମସ୍ତ ଆଇନ୍କୁ ମୋଦି ସରକାରକୁ ଆସିବା ପରେ ଦେଶୀ ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ୍ ସ୍ୱାର୍ଥରକ୍ଷା କରିବାକୁ ଯାଇ ଏହି ଆଇନ୍ଗୁଡିକୁ ରଦ୍ଦ କରି ୪ଟି କୋଡରେ ପରିଣତ କରିଛନ୍ତି ।

ଯାହାଦ୍ୱାରା ଦୀର୍ଘ ବର୍ଷ ଧରି ଶ୍ରମିକଙ୍କ ସ୍ୱାର୍ଥରକ୍ଷାକାରୀ ସର୍ବନିମ୍ନ ମଜୁରୀ ଆଇନ୍, ଫ୍ୟାକ୍ଟ୍ରି ଆଇନ୍, ଶିଳ୍ପ ବିବାଦ ଆଇନ୍, ସାମାଜିକ ସୁରକ୍ଷା ଆଇନ୍ ଭଳି ୪୨ଟି ଶ୍ରମ ଆଇନ୍ ଆଉ ରହିବ ନାହିଁ । ଦେଶରେ ଶ୍ରମିକ ଶ୍ରେଣୀକୁ କ୍ରୀତଦାସ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି ସରକାର । ଅନ୍ୟପକ୍ଷରେ କେନ୍ଦ୍ର ସରକାର ନିର୍ବାଚନ ସମୟରେ ମୋଦି ଦେଶର ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିରଗାର ହୋଇଛି ।

ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଚାଷୀକୁ ତାର ଉତ୍ପାଦନର ମୂଲ୍ୟ ପ୍ରଦାନ କରିବା ଦିଗରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ସମଗ୍ର ଦେଶରେ ଚାଷୀ ଆତ୍ମହତ୍ୟା କରିବା ନିତିଦିନିଆ ଘଟଣା ହୋଇଛି । କେନ୍ଦ୍ରର ମୋଦି ସରକାର ବିରୋଧରେ ପ୍ରତ୍ୟେକ ରାଜ୍ୟରେ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ଏହି ଆନ୍ଦୋଳ ଜୋରସୋରରେ ଚାଲିଛି । ମୋଦି ସରକାରଙ୍କ ଏହି ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଆଗାମୀ ସେପ୍ଟେମ୍ବର ୫ ତାରିଖ ଦିନ ସିଆଇଟିୟୁ ଓ କୃଷକ ସଭା ନେତୃତ୍ୱରେ ଲକ୍ଷ ଲକ୍ଷ ଶ୍ରମିକ ଓ କୃଷକ ସଂସଦ ଘେରାଉ କରିବେ ।

ଏହି ମଜଦୁର କିଷାନ ସଂଘର୍ଷ ସମାବେଶରେ ସୁନ୍ଦରଗଡ ଜିଲାରୁ ହଜାର ହଜାର ଶ୍ରମିକ, କୃଷକ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି । ଆଜି ସେକ୍ଟର-୧୬ସ୍ଥିତ ଶ୍ରମିକ ଭବନ ଠାରେ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ)ର କାର୍ଯ୍ୟକାରୀ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାନ୍ତି ମୋଦି ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ବ୍ୟାପକ ପ୍ରଚାର ଅଭିଯାନ ସହ ମଜଦୁର-କିଷାନ ସଂଘର୍ଷ ସମାବେଶକୁ ସଫଳ କରିବା ସହ ମୋଦି ସରକାର ବିରୁଦ୍ଧରେ ଆଗାମୀ ଅଗଷ୍ଟ ୮ରେ ଶ୍ରମିକ, କୃଷକମାନେ ସ୍ଥାନୀୟ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଅଗଷ୍ଟ ୧୪ରେ   ରାଜ୍ୟ ତମାମ ଅହୋରାତ୍ର ଧାରଣା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।

ବୈଠକରେ ସାଧାରଣ ସମ୍ପାଦକ ବିମାନ ମାଇତି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀମନ୍ତ ବେହେରା, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଅରୁ ଦାସ, ବିନୟ ବେଉରିଆ, ଲକ୍ଷ୍ମୀଧର ନାୟକ, ବିଶ୍ୱଜିତ ମାଝି, ଯତୀନ ତିର୍କୀ, ଜଗନ୍ନାଥ ନାୟକ ପ୍ରମୁଖଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post