Sat. Nov 30th, 2024
221 Views

ପରିଚ୍ଛେଦ-୨

“ସେହି କାଳଯମ ବଡ଼ ଦାରୁଣରେ ନ ଜାଣଇ ଦୁଃଖ ସୁଖ ।
ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।ା”

ଯୁବରାଜ ଗୋବିନ୍ଦଚନ୍ଦ୍ରଙ୍କ ଧାର୍ମିକ ଚରିତ୍ରରେ ଭଗବାନଙ୍କର ନିରାକାର ଓ ସାକାରରୂପର ଅଦ୍ୱୈତ ଦର୍ଶନମିଳେ । ଶ୍ରୀମଦ୍ ଭଗବଦ୍‌ଗୀତାରେ ଭଗବାନଶ୍ରୀକୃଷ୍ଣ ଶିଷ୍ୟ ଅର୍ଜୁନଙ୍କୁ ବିଭିନ୍ନରୂପରେ ଦର୍ଶନ ଦେଇଛନ୍ତି । ସେହିପରି ଗୋବିନ୍ଦଚନ୍ଦ୍ର ଶ୍ରୀଗୁରୁଙ୍କ ଭିତରେ ଭଗବାନଙ୍କର ସବୁ ରୂପକୁ ଦର୍ଶନକରି ଆତ୍ମହରା ହୋଇପଡ଼ିଛନ୍ତି! ଯେପରି ଗୀତାର ପ୍ରତ୍ୟେକ ଅଧ୍ୟାୟରେ ଗୁରୁଙ୍କର ଉପସ୍ଥିତି ଅନୁଭବ ହୋଇଥାଏ ସେହିପରି ଗୋବିନ୍ଦଚନ୍ଦ୍ର ସାଧନପଥର ପ୍ରତ୍ୟେକ କ୍ଷେତ୍ରରେ ଗୁରୁଙ୍କ ସାହଚର୍ଯ୍ୟ ପାଇ କୃତାର୍ଥ ହୋଇଛନ୍ତି । କେଉଁ କାଳରେ, କେତେବେଳେ, କେଉଁ ସ୍ଥିତିରେ କିଭଳି ସାଧନା କଲେ ଉପଯୁକ୍ତ ସମୟରେ ଭଗବତ୍‌ଦର୍ଶନ ମିଳିବ ତାହାର ସୂତ୍ରଧର ହେଉଛନ୍ତି ଗୁରୁ । ଦ୍ୱାପରଯୁଗରେ ଅର୍ଜୁନ ଥିଲେ ଯୁବରାଜ । କଳିଯୁଗର ପ୍ରଥମ ପର୍ଯ୍ୟାୟରେ ଗୋବିନ୍ଦଚନ୍ଦ୍ର ଥିଲେ ଯୁବରାଜ । ଜଣେ ଭଗବାନଙ୍କ ଭିତରେ ଗୁରୁଙ୍କୁ ଦର୍ଶନ କରିଛନ୍ତି ଆଉ ଜଣେ ଗୁରୁଙ୍କ ଭିତରେ ଭଗବାନଙ୍କୁ ଦର୍ଶନ କରି ସିଦ୍ଧିପ୍ରାପ୍ତ ହୋଇଛନ୍ତି! ଉଭୟେ ସ୍ୱୀୟସାଧନବଳରେ ଅଧ୍ୟାତ୍ମିକ ସମାଜଗଠନରେ ଉଦାହରଣ ହୋଇପାରିଛନ୍ତି । ତତ୍‌କାଳୀନ ଜନରବରେ ଉଭୟେ ନିମିତ୍ତ ଅବସ୍ଥାରୁ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି!

ଟୀକା ଗୋବିନ୍ଦଚନ୍ଦ୍ର କାହାଣୀରେ ତିନୋଟି ମୁଖ୍ୟ ଚରିତ୍ର-ମାତା, ଗୁରୁ ଓ ଶିଷ୍ୟ । ପ୍ରଥମ ଚରିତ୍ର ମାତା ମୁକ୍ତାଦେଈ ବଙ୍ଗଦେଶର ବିଧବାରାଣୀ ଥିଲେ । ଦ୍ୱିତୀୟ ଚରିତ୍ର ଶ୍ରୀଗୁରୁ ହାଡ଼ିପା ପୂର୍ବଜନ୍ମରେ ଜଣେ ଋଷିପୁତ୍ରଥିଲେ । ବ୍ରହ୍ମାଙ୍କ ଅଭିଶାପରେ ସେ ଚଣ୍ଡାଳଘରେ ଜନ୍ମ ହୋଇଥିଲେ । ତୃତୀୟ ଚରିତ୍ର ଯୁବରାଜ ଗୋବିନ୍ଦଚନ୍ଦ୍ର । ଏହି ତିନିଚରିତ୍ରଙ୍କ ମଧ୍ୟରେ ମୋକ୍ଷପଥ ସାଧନାର ଯେଉଁ ଗୁପ୍ତବୁଝାମଣା ହୋଇଥିଲା ତାହା ତତ୍‌କାଳୀନ ଆତ୍ମୀୟସ୍ୱଜନ ଓ ସର୍ବସାଧାରଣଙ୍କୁ ଅଗୋଚରଥିଲା । ଭୋଗବିଳାସରେ ବୁଡ଼ିରହିଥିବା ଯୁବରାଜଙ୍କର ସିଦ୍ଧଯୋଗୀହେବା ପଛରେ ମାତାଙ୍କ ପ୍ରେରଣା, ଗୁରୁଙ୍କ କଲ୍ୟାଣ, ଭଗବାନଙ୍କର ଅହେତୁକୀ ଅନୁକମ୍ପା ନିହିତଥିଲା । ପ୍ରଥମ ଚରିତ୍ର ରାଣୀ ମୁକ୍ତାଦେଈ ଜଣେ ତପସ୍ୱିନୀ ଥିଲେ । ତାଙ୍କ ଗୁରୁଙ୍କ ନାମ ଗୋରେଖ ଗୋସାଇଁ । ଗୁରୁଙ୍କ ନିର୍ଦ୍ଦେଶରେ ମୁକ୍ତାଦେଈ ଘୋରତପସ୍ୟା କରି ସିଦ୍ଧିପ୍ରାପ୍ତ ହୋଇଥିଲେ । ତିନିପୁରକୁ ସ୍ୱଦେହରେ ଗମନ କରିପାରୁଥିଲେ! ସତୀସାଧ୍ୱୀ ମୁକ୍ତାଦେଈ ପବିତ୍ର ଚିତ୍ତରେ ରହି ମହାଦେବଙ୍କୁ ଉପାସନା କରୁଥିଲେ । ସ୍ୱାମୀଙ୍କୁ ଅପୁତ୍ରିକ ଦୋଷରୁ ମୁକ୍ତକରିବା ପାଇଁ ତପସ୍ୟାରତ ଥିଲେ । ସ୍ୱଗର୍ଭରୁ ଏକ ପୁତ୍ରସନ୍ତାନ କାମନା କରି ଦୈନନ୍ଦିନ ଦୈବୀକର୍ମକାଣ୍ଡ ସଂପାଦନ କରୁଥିଲେ ।

ମୁକ୍ତାଦେଈ ପୁତ୍ରର ଅକାଳମରଣ ବୃତ୍ତାନ୍ତ ବୁଝାଇ ମରଣରୁ ରକ୍ଷାପାଇବାର ଉପାୟ ବତାଇଛନ୍ତି । ଏକବିଂଶ ବୟସରେ ଗୋବିନ୍ଦଙ୍କ ଯମଦଣ୍ଡ କଷ୍ଟକୁ ଏଡ଼ାଇ ଯିବା ଉଦ୍ଦେଶ୍ୟରେ ମାତାଗର୍ଭଧାରୀ ଯୋଗୀବେଶରେ ରାମ ନାମ ଜପିବା ପାଇଁ ପୁତ୍ରକୁ ପ୍ରବର୍ତ୍ତାଇଛନ୍ତି । ଅଶ୍ରୁଭରା ନୟନରେ ପୁତ୍ରକୁ କହିଛନ୍ତି-ହେ’ପୁତ୍ର, ମାୟାମୋହର ସଂସାରରେ ଯମଦେବତା ବଡ଼ବଳବାନ! କାହାର ଦୁଃଖଶୋକ ପ୍ରତି ଯମ ଦୟାଶୀଳ ନୁହନ୍ତି । ଯେଉଁ ପ୍ରାଣୀର ଆୟୁଷ ପୂରିଯାଏ ତତ୍‌କ୍ଷଣାତ ଯମ ଉପସ୍ଥିତ ହୋଇ ସେହି ପ୍ରାଣକୁ ଉଠାଇ ନିଅନ୍ତି ଯମାଳୟର ପାପପୁଣ୍ୟର ଅଦାଲତ ପ୍ରାଙ୍ଗଣକୁ । କିଏ ବାଳକ, କିଏ ବୃଦ୍ଧ, ରାଜା ପ୍ରଜା ସେ କଥା ବିଚାର କରନ୍ତି ନାହିଁ । ଯାହାର ଯେଉଁ ଦିନ ଆୟୁଷ ପୂରିଲା ସେଇ ଜୀବକୁ ଟାଣିଓଟାରି ନେବା ପାଇଁ ଭୁଲନ୍ତି ନାହିଁ । ବିଧାତାଙ୍କ ଲୀଳାଭୂମିରେ ଜୀବ ଯେତେ ବଳବାନ ହୋଇଥାଉ ପଛେ ଯମଙ୍କ ହସ୍ତରୁ ରକ୍ଷାପାଇବା କେବେ ବି ସମ୍ଭବ ନୁହେଁ । କେବଳ ମହାବିଷ୍ଣୁଙ୍କ ଶରଣାପନ୍ନ ହୋଇ ସ୍ୱୀୟସାଧନବଳରେ ଜନ୍ମ ମରଣଚକ୍ରର ଅଧିପତି ଯମଦେବଙ୍କୁ ଏଡ଼ାଇ ଯିବା ସମ୍ଭବ ହୋଇଥାଏ! ସେଇଥି ପାଇଁରେ ପୁତ୍ର ତୋତେ ପାପହରଣକାରୀ ଶ୍ରୀରାମଙ୍କ ନାମ ଜପକରିବା ପରାମର୍ଶ ଦେଉଛି । ବାବୁରେ, ଧନରେ, ରାଜସିଂହାସନ ତ୍ୟାଗକରି ଯୋଗୀ ହୋଇଯିବା ପାଇଁ କାହିଁକି କହୁଛି ତାହା ମନଦେଇ ଶୁଣରେ ବାପ । ମାତୃହୃଦୟର ଗହନକଥା ବୁଝୁ ଧନ । ମାତାଗର୍ଭଧାରୀର ଆଖି ଆଗରେ ଯୁବକପୁତ୍ରର ମୃତ୍ୟୁ କେତେ ଅସହ୍ୟ, ଯନ୍ତ୍ରଣାଦାୟକ ତାହା କେବଳ ସେଇ ମାତା ଜାଣେ! ମାତା ଜାଣେ ସୁପୁତ୍ରର ବଦନରେ କେତେ ଅମୃତ ଭରିରହିଛି । ତୋର ଚନ୍ଦ୍ରବଦନକୁ ସବୁଦିନେ ଦେଖିବା ପାଇଁ ମୋର ଇଚ୍ଛାପୂରଣ କର ପୁତ୍ର!

ଚକ୍ଷୁରୁ ଲୁହଗଡ଼ାଇ ମୁକ୍ତାଦେଈ ବୁଝାଇଲେ-ହେ’ପୁତ୍ର, ଦୀର୍ଘବର୍ଷ ତପସ୍ୟା କରି ତୋତେ ପାଇଥିଲି । ତୋତେ ପାଇବା ପରେ ଅପୁତ୍ରିକ ଦୋଷରୁ ମୁକ୍ତ ହୋଇଥିଲି । ଜନଜଗତକୁ ଚେତାଇ ଦେଇଥିଲି ମୁଁ ବନ୍ଧ୍ୟା ନୁହେଁ । ନାରୀ ନିଜ ପ୍ରାରବ୍‌ଧ କର୍ମଫଳ ପ୍ରଭାବରେ ନିଃସନ୍ତାନ ହୋଇପାରେ ନାହିଁ! ସେଥିପାଇଁ ଅନେକ ଉପାୟ ରହିଛି । ପ୍ରଥମ ଉପାୟ ଶିବ ଉପାସନା । ଶିବପାର୍ବତୀ କୃପାରୁ ପୁତ୍ର ଜନ୍ମହେବା ସମ୍ଭବ ହୋଇଥାଏ! ଦ୍ୱିତୀୟ ଉପାୟ ବେଳାନକ୍ଷତ୍ରରେ ସ୍ୱାମୀଙ୍କ ସହିତ ରମଣ କରିବ । ଏପରି ନିଷ୍ଠା ଓ ଦୈବୀବଳରେ ମୁଁ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲି । ନାରୀ ଇଚ୍ଛାକଲେ ବନ୍ଧ୍ୟାଦୋଷରୁ ମୁକ୍ତ ହୋଇପାରିବ ଏହିବାର୍ତ୍ତା ନାରୀସମାଜରେ ପ୍ରସାର କରିଥିଲି । ଏବେ ତୋର ମରଣ ବେଳାରେ କୋହଉଠାଇ କାନ୍ଦୁଛିରେ ପୁତ୍ର । ମୋତେ ପୁଣି ସେଇ ଅପୁତ୍ରିକ ଦଷା ଭୋଗିବାକୁ ପଡ଼ିବ! ରାଜପ୍ରାସାଦର ସୌଖୀନଜୀବନ ଯନ୍ତ୍ରଣାରେ ଭରିଯିବ । ହେ’ପୁତ୍ର, ସ୍ୱାମୀହରା, ପୁତ୍ରହରା ହୋଇ ମୁଁ କିପରି ସଂସାରପଥରେ ବାଟଚାଲିବି ମୋତେ ବୁଝାଇକହ ପୁତ୍ର! ମା’ହୋଇ ସ୍ୱଚକ୍ଷୁରେ ପୁତ୍ରର ମରଣ ସହ୍ୟକରି ପାରିବି ନାହିଁରେ ପୁତ୍ର । କାଳବିଳମ୍ବ ନ କରି ଏହିକ୍ଷଣରୁ ପ୍ରଭୁ ଶ୍ରୀରାମଙ୍କ ନାମ ଜପକର । ଅବଶ୍ୟ ଜୀବନ ଫେରିପାଇବୁ ।

ହରି ଓଁ ତତ୍‌ସତ୍ ।

By amfnews

Related Post