Thu. Mar 13th, 2025

‘ମୋ ସରକାର’‌ରେ ସୁଧୁରୁନି ସ୍ୱାସ୍ଥ୍ୟସେବା : ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଧଘଣ୍ଟା ମୋବାଇଲ୍‌ ଟର୍ଚ୍ଚରେ ‌ରୋଗୀସେବା

By amfnews Dec 15, 2019 #Featured
110 Views

ନୟାଗଡ଼ : କୌଣସି ଅପନ୍ତରା କି ଅପହଞ୍ଚ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ, ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ୩୦ ମିନିଟ୍ କାଳ ବିଦ୍ୟୁତ୍ କାଟ୍ ହେଲା, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅନ୍ଧାରରେ ଛଟପଟ ହେଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଆଲୋକର ବ୍ୟବସ୍ଥା କରିପାରିଲେ ନାହିଁ। ଜେନେରେଟର୍‌ ଥିଲେ ବି କାମ ଦେଲାନି। ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ସ୍ଥତି ଦେଖିବାକୁ ମିଳିଥିବା ବେଳେ, ରୋଗୀଙ୍କ ସମ୍ପର୍କୀୟ ଏହାର ଭିଡିଓ ରେକର୍ଡିଂ କରି ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ଅଧଘଣ୍ଟା କାଳ ଡାକ୍ତର ମୋବାଇଲ୍‌ ଟର୍ଚ୍ଚରେ ରୋଗୀ ଦେଖିଥିଲେ। ପ୍ରେସ୍‌କ୍ରିପସନ୍ ଲେଖିବା ସହ ଅନ୍ଧାରରେ ପରାମର୍ଶ ଦେଇଥିଲେ।

ଅନ୍ଧାର କାରଣରୁ ଯଦି ତ୍ରୁଟିପୂର୍ଣ୍ଣ ଚିକିତ୍ସ‌ା କରାଯାଇ ଅଘଟଣ ଘଟିବ, ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ଅନେକ ଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‌ରୋଗୀଙ୍କୁ ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା କରାଯାଇଥିବାର ନଜିର୍ ରହିଛି। ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସ‌ାଳୟରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତଥା ସୁଧାରିବାକୁ ପଦକ୍ଷେପ ନିଆଯାଉନାହିଁ। ଗତ ଜୁଲାଇ ୬ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ଚାଲିଥିବା ବେଳେ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଦଶପଲ୍ଲା ଅଞ୍ଚଳରୁ ଆସିଥିବା‌ ଜଣେ ରୋଗୀଙ୍କର ଡାଏଲିସିସ୍ ଚାଲିଥିବା‌ ସମୟରେ ବିଦ୍ୟୁତ୍‌ କଟି ଯାଇଥିଲା। ଜେନେରେଟର୍‌ ଷ୍ଟାର୍ଟ କରାଯାଇ ନପାରିବାରୁ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିଲା।

ଏହି ସମୟରେ ରୋଗୀଙ୍କର ମୃତ୍ୟୁ ଘଟିବାରୁ ବିଦ୍ୟୁତ୍‌ କାଟ୍‌ କାରଣରୁ ଡାଏଲିସିସ ଅଧ‌ାରୁ ବନ୍ଦ ହୋଇ ରୋଗୀଙ୍କର ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭି‌ଯୋଗ କରିଥିଲେ। ଜୀବନ, ମରଣର ସମସ୍ୟା ନେଇ ଶହ ଶହ ରୋଗୀ ଦୈନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ, କର୍ତ୍ତୃପକ୍ଷ କିନ୍ତୁ ଏଥିପ୍ରତି ଧ୍ୟାନ ଦେବାରେ ଅବହେଳା କରୁଥିବା ‌ବାରମ୍ବାର ଦେଖାଯାଇଛି। ଗତ ଅ‌କ୍ଟୋବର ୧୧ ତାରିଖରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥି‌ଲେ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସ୍ବା‌ସ୍ଥ୍ୟକେନ୍ଦ୍ର ପରିଚାଳନା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏସବୁର କିଛି ବି ପ୍ରଭା‌ବ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଉପରେ ପଡ଼ିଥିବା ମନେ ହେଉନାହିଁ। ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଥିବା ବେଳେ ନୟାଗଡ଼ରେ ଏହା ପ୍ରଭାବଶୂନ୍ୟ ଭଳି ମନେହେଉଛି।

By amfnews

Related Post