Sat. Nov 23rd, 2024

ମୋହନାରେ କୂଅ ଭିତରୁ ୨ ଭଉଣୀଙ୍କ ମୃତ ଦେହ ମିଳିବା ଘଟଣା, ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବାପା-ମା’

By amfnews Oct 1, 2018 #Featured
296 Views

ଗଜପତି, ଅକ୍ଟୋବର ୧ : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଛେଳିଗଡ଼ ଗ୍ରାମରେ କୂଅ ଭିତରରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ନୂଆମୋଡ଼ ଆସିଛି । ଭିଣୋଇ ନୁହେଁ ବରଂ ଜନ୍ମ କଲା ବାପା ମା’ ଦୁଇ ଝିଅଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି । ଭିଣୋଇ ଗଣେଶ ସାହୁଙ୍କ ସମେତ ବାପା ବି. ପ୍ରମୋଦ ଆଚାରୀ ଓ ମା’ଙ୍କୁ ପୋଲିସ ଅଟକ ରଖିଛି ।  ଏ ନେଇ ସୂଚନା ଦେଇଛନ୍ତି ମୋହନା ଥାନା ଏସ୍‌ଡିପିଓ ।

ପ୍ରମୋଦଙ୍କ ତୃତୀୟ ଝିଅ ବି. ସ୍ୱପ୍ନାଙ୍କର ଭୁବନେଶ୍ୱର ଜଣେ ରେଲବାଇ କର୍ମଚାରୀଙ୍କ ସହିତ ବିବାହ ଠିକ୍‌ ହୋଇଥିଲା । କିନ୍ତୁ ପ୍ରସ୍ତାବ ଭାଙ୍ଗି ଯିବାରୁ ଉଭୟ ବାପା ମା’ ଦୁଇ ଝିଅ ସ୍ୱପ୍ନା ଓ କିରଣଙ୍କୁ ବିଷ ପିଇବାକୁ ବାଧ୍ୟ କରିଥିଲେ । ସେମାନେ ବିଷ ପିଇବା ପରେ ବାପା ମା’ ଅତି ନିର୍ଦ୍ଦୟଭାବରେ ଦୁଇ ଝିଅଙ୍କୁ କୂଅରେ ପୋଫାଡ଼ି ଦେଇଥିଲେ । କିନ୍ତୁ ଚତୁରତା ସହିତ ପ୍ରମୋଦ ନିଜ ଚତୁର୍ଥ ଝିଅର ଜ୍ୱାଇଁ ଗଣେଶଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଦେଇଥିଲେ । ଭିଣୋଇ ଓ ତାର ପରିବାର ଲୋକ ମିଶି ବାହାଘର ଭାଙ୍ଗି ଦେବାରୁ ଦୁଇ ଝିଅ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

ଅନ୍ୟପକ୍ଷରେ ଭିଣୋଇ ଗଣେଶ ମଧ୍ୟ କିଛି ପରିମାଣରେ ଦାୟୀ ରହିଥିବା ପୋଲିସ କହିଛି । ବାହାଘର ଠିକ୍‌ ହୋଇଥିବା ପୁଅର ପରିବାର ଲୋକଙ୍କ ପାଖକୁ ଗଣେଶ ସ୍ୱପ୍ନାଙ୍କର ଅଶ୍ଳୀଳ ଫଟୋ ପଠାଇଥିଲେ । ଯେଉଁଥିପାଇଁ ତାଙ୍କର ବାହାଘର ଭାଙ୍ଗି ଯାଇଥିଲା । ଏକଥା ପ୍ରମୋଦ ଜାଣିବା ପରେ ଦୁଇ ଝିଅଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବୋଲି ଏସ୍‌ଡିପିଓ କହିଛନ୍ତି । ପୋଲିସ ବାପା ମା’ ଓ ଜ୍ୱାଇଁଙ୍କୁ ଗତକାଲିଠାରୁ ଅଟକ ରଖି ପଚରାଉଚରା କରୁଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଦିନ ବି. ସ୍ୱପ୍ନା ଆଚାରୀ ଓ ବି. କିରଣ ଆଚାରୀଙ୍କ ମୃତ ଦେହ କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ବିବାହ ପ୍ରସ୍ତାବ ଭାଙ୍ଗିବାରୁ ଦୁଇ ଝିଅ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବାପା ପ୍ରମୋଦ କହିଥିଲେ ।

By amfnews

Related Post