Mon. Feb 3rd, 2025

ମେଡିକାଲ ନାମଲେଖା: ଫେରିନି ସର୍ବଭାରତୀୟ କୋଟା ସିଟ୍‌, ଆଜି ବି ବାହାରିଲାନି ଖାଲି ସିଟ୍‌ ତାଲିକା

By amfnews Jul 27, 2019 #Featured
140 Views

ଭୁବନେଶ୍ବର : ରାଜ୍ୟର ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ଖାଲିଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ସହ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌କୁ ମିଶାଇ ପ୍ରକାଶ ପାଇବାକୁ ଥିବା ତାଲିକା ଆଜି ବି ବାହାରିପାରିନି। ସର୍ବଭାରତୀୟ କୋଟାରେ ଖାଲିଥିବା ସିଟ୍‌ ଫେରି ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ଯେଉଁଥିପାଇଁ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ‌‌ନେଇ ଏବେ ବି ଅନିଶ୍ଚିତିତା ଲାଗିରହିଛି। କେବେ ସୁଦ୍ଧା ସମ୍ପୂର୍ଣ୍ଣ ସିଟ୍‌ ଫେରିବ ଓ ଆଲଟମେଣ୍ଟ ହେବ ସେ ନେଇ ଓଜେଇଇ କର୍ତୃପକ୍ଷ ସ୍ପଷ୍ଟ କରିପାରି ନାହାନ୍ତି।

ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି ଯେ, ଶୁକ୍ରବାର ରାତି ୮ଟା ସୁଦ୍ଧା ସର୍ବଭାରତୀୟ କୋଟାରୁ ସମ୍ପୂର୍ଣ୍ଣ ସିଟ୍‌ ଫେରିନି। ତେଣୁ ଖାଲି ସିଟ୍‌ ତାଲିକା ଆଜି ପ୍ରକାଶ କରାଯାଇ ପାରିଲାନାହିଁ। ଶନିବାର ସକାଳ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ଯଦି ଆହୁରି ବିଳମ୍ବ ହୁଏ ତେବେ ଚଏସ୍‌ ଲକିଂ ଓ ଫିଲିଂ ସମୟ ସୀମାକୁ ବୃଦ୍ଧି କରାଯିବ। ଏନେଇ ଛାତ୍ରଛାତ୍ରୀଙ୍କୁ ପରବର୍ତୀ ସମୟରେ ସୂଚନା ଦିଆଯିବ।

ସୂଚନାଯୋଗ୍ୟ, ଖାଲି ସିଟ୍‌ ତାଲିକା ଆଜି ପ୍ରକାଶ ପାଇବାର ଥିଲା। ଆଜି ପୂର୍ବାହ୍ନ ୧୦ଟାରୁ ୨୭ତାରିଖ ଅପରାହ୍‌ଣ ୩ଟା ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ ଓ ଫିଲିଂ ସମୟ ସୀମା ଧାର୍ଯ୍ୟ କରାଯାଇଛି। ୨୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ସହ ନାମ‌ଲେଖା ଲାଗି ଛାତ୍ରଛାତ୍ରୀ ଲେଟର ଡାଉନ୍‌ଲୋଡ୍‌ କରିବେ। ଜୁଲାଇ ୨୯ରୁ ୩୧ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମଲେଖା ହେବ। ଜୁଲାଇ ୩୧ରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଯଦି ଆବଶ୍ୟକ ପଡ଼େ, ତେବେ ସ୍ପଟ୍‌ କାଉନସେଲିଂ ପାଇଁ ଅଗଷ୍ଟ ୧ ଓ ୨ତାରିଖରେ ପଞ୍ଜୀକରଣ ଅନୁଷ୍ଠିତ ହେବ। ଦ୍ବିତୀୟ କାଉନସେଲିଂ ପରେ ସିଟ୍‌ ଖାଲି ପଡ଼ିଲେ ୪ରୁ ୮ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା କରାଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି‌ରେ କୁହାଯାଇଥିଲା।

By amfnews

Related Post