Sun. Mar 8th, 2026

ମେଘାଳୟରେ ଅନ୍ୟ ଏକ କୋଇଲାଖଣି ଧସି ୨ ମୃତ

164 Views

ସିଲଙ୍ଗ୍‌, ଜାନୁଆରୀ ୦୭ : ମେଘାଳୟର ଇଷ୍ଟ୍‍ ଜୈନ୍ତିଆ ହିଲ୍‌ସ୍‌ରେ ଅନ୍ୟ ଗୋଟିଏ ବେଆଇନ କୋଇଲା ଖଣି ଧସି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି।

ଶୁକ୍ରବାର ଠାରୁ ୨୬ ବର୍ଷିୟ ପୁତୁରା ଏଲାଡ୍‌ ବରେହ୍‌ ଘରୁ ନିରୁଦ୍ଦେଶ ହୋଇ ଯାଇଥିବା କଥା ଫିଲିପ୍‌ ବରେହ୍‌ ନାମକ ଜଣେ ବ୍ୟକ୍ତି ରିପୋର୍ଟ କରିବା ପରେ ଜାଲ୍‌ୟିହା ଗାଁର ମୁକ୍‌ନୋର୍‌ ଠାରେ ଘଟିଥିବା ଏହି ସଦ୍ୟ ଦୁର୍ଘଟନା ଲୋକଲୋଚନକୁ ଆସିଥିଲା।

ତଲାସ ପରେ କୋଇଲାଖଣିର ଗୋଟାଏ ଗର୍ତ୍ତ ମୁହଁରୁ ତାଙ୍କର ଶବ ମିଳିଥିଲା। ଅଣଓସାରିଆ ଖଣିର ଆହୁରି ଭିତରକୁ ଖୋଜାଯିବାର ଅନ୍ୟ ଜଣଙ୍କ ଶବ ମିଳିଥିଲା। ଦ୍ୱିତୀୟ ଶବଟି ମନୋଜ ବସୁମାତ୍ରୀଙ୍କର ବୋଲି ପୁଲିସ କହିଛି।

କୋଇଲା ତାଡ଼ିବା ବେଳେ ସେମାନଙ୍କ ଉପରୁ ଶିଳାଖଣ୍ଡ ଖସିପଡ଼ିଥିବା କଥା ମନେହେଉଛି। ଏହି ବେଆଇନ୍‌ ଖଣିର ମାଲିକ କିଏ, ଜାଣିବାକୁ ଉଦ୍ୟମ ଚାଲିଛି।ଶବ ଦୁଇଟିକୁ ବ୍ୟବଚ୍ଛେଦ ଲାଗି ପଠାଯାଇ ଘଟନାର ତଦନ୍ତ ଆରମ୍ଭ ହୋଇଛି।

ତେଣେ କିସନ ଗାଁରେ କୋଇଲାଖଣିରେ ଅଟକି ରହିଥିବା ୧୫ ଜଣ ଶ୍ରମିକଙ୍କୁ ବାହାର କରାଯିବା ଲାଗି ଚାଲିଥିବା ଉଦ୍ୟମ ରବିବାର ବାଧା ପାଇଛି। ପାଣିପମ୍ପ୍‌ ସାମୟିକ ତ୍ରୁଟି ଦେଖା ଦେବାରୁ ଏଭଳି ଅସୁବିଧା ହୋଇଛି।

By amfnews

Related Post