228 Views
ଗଜପତି, ନଭେମ୍ବର ୩ : ଡାକ୍ତରୀ ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସ କୁସଂସ୍କାର ଏବେବି ଲୋକଙ୍କ ମନରେ ବସା ବାନ୍ଧି ରହିଛି । ରୋଗ ଭଲ କରିବାକୁ ହେଉ ଅବା ମୃତ୍ୟୁବରଣ କରିଥିବା ଲୋକକୁ ବଂଚାଇବାକୁ ଲୋକମାନେ ଏବେବି ଗୁଣିଆଙ୍କର ସାହାଯ୍ୟ ଲୋଡ଼ୁଛନ୍ତି । କିନ୍ତୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି । ମୃତ୍ୟୁର କାରଣ ଖୋଜିବାକୁ ଗୁଣିଆକୁ ଅଣାଯାଇଛି । ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମରେ । ଗୁଣିଆକୁ ପୋଲିସ ଗିରଫ କରିଥିବା ବେଳେ ପୋଲିସକୁ ଗ୍ରାମବାସୀ ଘେରିଛନ୍ତି ।
ଗତ ୩୦ ତାରିଖ ଦିନ କଣ୍ଟେଇକୋଳି ଗ୍ରାମରେ ରଂଜନ ମଲ୍ଲିକ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ରଂଜନଙ୍କୁ ଗୁଣି କରି ହତ୍ୟା କରାଯାଇଛି ବୋଲି ପରିବାର ଲୋକ ସନ୍ଦେହ କରିଥିଲେ । ତେବେ କାହିଁକି ମୃତ୍ୟୁ ହେଲା ଓ କିଏ ମାରିଛି ଜାଣିବାକୁ ଗାଁ ଲୋକ ଗୁଣିଆକୁ ଡାକିଥିଲେ । ନିକଟସ୍ଥ ପୋଡ଼ାମରେଇ ଗ୍ରାମର ପରମାନନ୍ଦ ପରିଛା ନାମକ ଜଣେ ଗୁଣିଆକୁ ଡାକି ତନ୍ତ୍ରମନ୍ତ୍ର କରିଥିଲେ । ଆଜି ସକାଳୁ ଗୁଣିଆ ପୂଜା ପାଠ କରୁଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ସଂପୃକ୍ତ ଗୁଣିଆକୁ ଗିରଫ କରିଥିଲା । ମାତ୍ର ଗ୍ରାମବାସୀ ଓଲଟା ପୋଲିସକୁ ଘେରିଛନ୍ତି । ଗୁଣିଆକୁ ଛାଡ଼ି ଦେବାକୁ ଦାବି କରିଛନ୍ତି । ଏପରି ଗୁଣିଆକୁ ଛାଡ଼ି ଦେବାକୁ ପୋଲିସକୁ ଢେଲା ପଥର ମାଡ଼ କରିଥିବା ସୂଚନା ମିଳିଛି । ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।