Sat. Mar 7th, 2026

ମୁସଲିମ ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

199 Views

ନୂଆଦିଲ୍ଲୀ :  ତତ୍କାଳ ଟ୍ରିପଲ ତଲାକ୍‌ ପାଇଁ ଦଣ୍ଡବ୍ୟବସ୍ଥା ଥିବା ଟ୍ରିପଲ୍‌ ତଲାକ୍‌ ବିଲ୍‌ ରାଜ୍ୟସଭାରେ ପାରିତ ହେବାର ଐତିହାସିକ ମୁହୂର୍ତ୍ତ ପାଇଁ ମୁସଲିମ୍‌ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହି ଐତିହାସିକ ବିଲ ସଂସଦରେ ପାରିତ ହୋଇଥିବାରୁ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ତିନି ତଲାକକୁ ନିଷେଧ କରିବା ଲାଗି ଆଇନ ଆଣି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତିକୁ ପୂରଣ କରିଥିବା ଶ୍ରୀ ଶାହ କହିଛନ୍ତି।

ମୁସଲିମ୍ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, “ଏହି ବିଲ ଗୃହୀତ ହେବା ଅବସରରେ ଟ୍ରିପଲ୍‌ ତଲାକର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲିମ୍‌ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ଆଇନ ମୁସଲିମ ମହିଳାମାନଙ୍କୁ ଏକ କଠୋର ପ୍ରଥାର ଅଭିଶାପରୁ ମୁକ୍ତି ଦେବ।”

ଶ୍ରୀ ଶାହ କହିଛନ୍ତି ଯେ, ମୋଦି ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ମୁସଲିମ୍ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ମୁସଲିମ୍ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ, ଏବେଠାରୁ ମୁସଲିମ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ। ସେମାନେ ଏବେ ‘ନୂଆ ଭାରତ’ ଗଠନ ଦିଗରେ ଏକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ । ଶ୍ରୀ ଶାହ ଆଜିର ଦିନକୁ ଭାରତୀୟ ଗଣତନ୍ତ୍ର ପାଇଁ ଏକ ମହାନ ଦିବସ ବୋଲି କହିଛନ୍ତି। ଏହି ଐତିହାସିକ ବିଲ୍‌କୁ ସମର୍ଥନ କରିଥିବାରୁ ସବୁ ଦଳକୁ ସଂସଦର ସମସ୍ତ ସଦସ୍ୟଙ୍କୁ ଶ୍ରୀ ଶାହ ଧନ୍ୟବାଦ ଜଣାଇଛନ୍ତି।

By amfnews

Related Post