Sat. Mar 7th, 2026

ମୁଦ୍ରା ଲୋନ୍‌ ଯୋଗାଇବା ନାଁରେ ଠକେଇ

205 Views

ଜୟପୁର  : ମୁଦ୍ରା ଲୋନ୍‌ ଯୋଗାଇବା ନାଁରେ ପ୍ରଲୋଭନ ଦେଖାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅନ୍ତର୍ଗତ କୁମ୍ଭାରସାହି ଓ ପୁରୁଣାଗଡ ଅଞ୍ଚଳରେ।

ମୁଦ୍ରା ଲୋନ୍‌ ଯୋଗାଇବା ପାଇଁ ମାଇକ୍ରୋଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଟ୍‌ ନାମକ ସଂସ୍ଥାର କର୍ମକର୍ତ୍ତା  କୁମ୍ଭାରସାହି ଓ ପୁରୁଣାଗଡ ଅଞ୍ଚଳର ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିଲାଗି ଆବଶ୍ୟକ କାଗଜପତ୍ର ଦେବାକୁ ସେମାନଙ୍କୁ କହିଥିଲେ। ଏଥିରେ ବିଶ୍ୱାସ କରି ଉକ୍ତ ମହିଳାମାନେ ଆବଶ୍ୟକ  ଡକ୍ୟୁମେଣ୍ଟ, ବ୍ୟାଙ୍କ ପାସବୁକ୍‌, ଫିଙ୍ଗରପ୍ରିଣ୍ଟ  ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଦେଇଥିଲେ। ଏହାପରେ  ସେମାନଙ୍କ ଅଜାଣତରେ ଉକ୍ତ କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରୁ ପ୍ରାୟ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଉଠାଇନେଇଥିବା ମହିଳମାନେ ଅଭିଯୋଗ କରିଛନ୍ତି।

ଏପରିକି କାହା ଆକାଉଣ୍ଟରୁ ୧୦ ହଜାର  ଟଙ୍କା  କଟିଛି ତ କାହା ଆକାଉଣ୍ଟରୁ ୪୫ ହଜାର ଟଙ୍କା ଉଠାଇ  ନିଆଯାଇଛି।  ୪୦ରୁ ୫୦ ଜଣ  ମହିଳାଙ୍କ ଆକାଉଣ୍ଟରୁ ଗତ ଅଗଷ୍ଟ ୨୭ରେ ଟଙ୍କା ଉଠାଣ ହୋଇଥିବା ପାସବୁକ୍‌ ଦେଖି  ମହିଳାମାନେ ଜାଣି ପାରିଥିଲେ। ଏହାପରେ ସଂପୃକ୍ତ କମ୍ପାନୀର କର୍ମଚାରୀଙ୍କୁ  ଯୋଗାଯୋଗ କରିଥିଲେ। ହେଲେ ଫୋନ୍‌ ବନ୍ଦ ଥିଲା।  ଏନେଇ ମହିଳମାନେ ମଙ୍ଗଳବାର ସନ୍ଧ୍ୟାରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ସନ୍ଧାନ ପାଇପାରି ନାହିଁ।

By amfnews

Related Post