Tue. Nov 5th, 2024

“ମୁଡ ଅଫ ନେସନ୍” ସର୍ଭେ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ୱରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

By amfnews Aug 8, 2020 #Featured
166 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮  : ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକ୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ବିଷୟରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିମଧ୍ୟରୁ ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚନା କରିଥିଲେ ଏବଂ ସେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପୁଣି ଥରେ ପ୍ରମାଣିତ ହୋଇଛନ୍ତି ।

ମୁଡ୍ ଅଫ ନେସନ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ସର୍ବାଧିକ 24 ପ୍ରତିଶତ ଲୋକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପସନ୍ଦ କରିଥିଲେ ଏବଂ ସେ ସର୍ବୋତ୍ତମ କାର୍ଯ୍ୟ କରୁଛନ୍ତି ବୋଲି ବିଶ୍ୱାସ କରିଥିଲେ । ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ସର୍ଭେରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା, ଯେତେବେଳେ କି 18 ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ । ଅର୍ଥାତ୍ ଯୋଗୀ ଆଦିତ୍ୟନାଥ ଏହି କରୋନା ସମୟରେ ତାଙ୍କ କାର୍ଯ୍ୟ ସହିତ ତାଙ୍କର ଲୋକପ୍ରିୟତାକୁ ମଧ୍ୟ ବୃଦ୍ଧି କରିଛନ୍ତି |

ଆଜତକ୍ ସର୍ଭେ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଦେଶର ଦ୍ୱିତୀୟ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ । 15 ପ୍ରତିଶତ ଲୋକ ତାଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ପସନ୍ଦ କରିଛନ୍ତି | ଜାନୁଆରୀ ତୁଳନାରେ କେଜ୍ରିୱାଲ ମଧ୍ୟ ତାଙ୍କର ଲୋକପ୍ରିୟତା ବୃଦ୍ଧି କରିଛନ୍ତି, ଯେତେବେଳେ ସେ 11 ପ୍ରତିଶତ ଲୋକଙ୍କ ପ୍ରିୟ ଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି, ତାଙ୍କୁ 11 ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 9% ଲୋକ ପସନ୍ଦ କରିଥିବାବେଳେ ସେ ଚତୁର୍ଥ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଯଦିଓ ଜାନୁଆରୀ ମାସରେ ହୋଇଥିବା ସର୍ଭେ ତୁଳନାରେ ବର୍ତ୍ତମାନ ମମତା ବାନାର୍ଜୀଙ୍କର ଲୋକପ୍ରିୟତା ହ୍ରାସ ପାଇଛି | ଜାନୁଆରୀ ମାସରେ ହୋଇଥିବା ସର୍ଭେରେ 11 ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରୁଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଞ୍ଚମ ସ୍ଥାନରେ ଅଛନ୍ତି।

ଜାନୁଆରୀ ତୁଳନାରେ ଉଦ୍ଧବ ଠାକରେଙ୍କ ଲୋକପ୍ରିୟତା ସାମାନ୍ୟ ବୃଦ୍ଧି ପାଇଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ଏହା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 6 %, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ 3 %, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ 2 %, ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି 2 %, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ 2 % ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା 2 % ଲୋକପ୍ରିୟ ରହିଛନ୍ତି |

ଏହା ବ୍ୟତୀତ ଯେତେବେଳେ ରାଜ୍ୟବାସୀଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ସେମାନଙ୍କ ରାଜ୍ୟ ମଧ୍ୟରେ ସବୁଠାରୁ ଲୋକପ୍ରିୟ ଥିଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀ । ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ରାଜ୍ୟର 87 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଜଗନଙ୍କ କାର୍ଯ୍ୟକୁ ପସନ୍ଦ କରିଥିଲେ ଏବଂ ଏହାକୁ ଭଲ ବୋଲି ବିବେଚନା କରିଥିଲେ । ଦ୍ୱିତୀୟ ନମ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର 63 ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟକୁ ଭଲ ବୋଲି ଭାବିଛନ୍ତି ।

ଏହା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (59%), ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (55%), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (55%) ଏବଂ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ (49%) ଲୋକଙ୍କ ଦ୍ୱାରା ନିଜ ରାଜ୍ୟରେ ପସନ୍ଦ ହୋଇଛନ୍ତି ।

ଏହି ସର୍ଭେ ଆଜତକ୍ ଦ୍ୱାରା କରାଯାଇଥିବା ଏହି ସର୍ଭେକୁ କାର୍ଭି ଇନ୍ସାଇଟ୍ସ ଲିମିଟେଡ୍ କମ୍ପାନୀ କରିଥିଲା | ଯେଉଁଥିରେ 12 ହଜାର 21 ଜଣ ଲୋକ ଅଂଶଗ୍ରହଣ କରିଥିଲେ | ସେଥିମଧ୍ୟରୁ 67 ପ୍ରତିଶତ ଗ୍ରାମାଞ୍ଚଳ ହୋଇଥିବାବେଳେ ଅବଶିଷ୍ଟ 33 ପ୍ରତିଶତ ସହରାଞ୍ଚଳ ଲୋକ ଥିଲେ । ଏହି ସର୍ଭେରେ ମୋଟ 97 ଟି ଲୋକସଭା ଏବଂ 19 ଟି ରାଜ୍ୟରୁ 194 ଟି ବିଧାନସଭା ଆସନ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏହି 19 ଟି ରାଜ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ । 15 ଜୁଲାଇରୁ 27 ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଥିଲା |

ଏହି ସର୍ଭେରେ 52 ପ୍ରତିଶତ ପୁରୁଷ, 48 ପ୍ରତିଶତ ମହିଳା ସାମିଲ ହୋଇଥିଲେ। ଯଦି ଧର୍ମ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ 86 ପ୍ରତିଶତ ହିନ୍ଦୁ, 9 ପ୍ରତିଶତ ମୁସଲମାନ ଏବଂ ଅନ୍ୟ ଧର୍ମର ପାଞ୍ଚ ପ୍ରତିଶତ ଲୋକ ସେମାନଙ୍କ ମତ ପ୍ରଦାନ କରିଥିଲେ । ସର୍ବେକ୍ଷଣରେ 30 ପ୍ରତିଶତ ଉଚ୍ଚ ଜାତି, 25 ପ୍ରତିଶତ ଏସସି-ଏସଟି ଏବଂ 44 ପ୍ରତିଶତ ଅନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ଥିଲେ ବୋଲି ଆଜତକ୍ ପକ୍ଷରୁ କୁହାଯାଇଛି ।

By amfnews

Related Post