Fri. Mar 6th, 2026

ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ଦୁଷ୍କର୍ମ: ସରକାରୀ ପାଣ୍ଠି ପାଇବାକୁ ସେକ୍ସ୍‍ ର‍୍ୟାକେଟ୍‌ ଚଳାଇଥିଲେ ଦୋଷୀ ସାବ୍ୟସ୍ତ ବ୍ରଜେଶ ଠାକୁର

280 Views

ପାଟନା:   ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ରେ ଝିଅମାନେ ସରବ୍ୟ ହୋଇଥିବା ଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ରଜେଶ ଠାକୁର ସରକାରୀ ପାଣ୍ଠି ଓ ମଞ୍ଜୁରି ପାଇବାକୁ ନେପାଳ ଓ ବାଂଲାଦେଶ ଯାଏଁ ଲମ୍ବିଥିବା ଏକ ସୁସଂଗଠିତ ସେକ୍‌ସ୍‌ ର‍୍ୟାକେଟ୍‌ ଚଳାଉଥିବା କଥା ମୁଜାଫରପୁର ପୁଲିସ ରିପୋର୍ଟରୁ ଜଣା ପଡ଼ିଛି।

ଠାକୁରଙ୍କର ଗୁଡ଼ାଏ ଏନ୍‌ଜିଓ ଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି। ସେ ସବୁ ସଂଗଠନରେ ତାଙ୍କର ଆତ୍ମୀୟସ୍ୱଜନମାନେ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ବରିଷ୍ଠ ସରକାରୀ ଅଧିକାରୀ ଏବଂ ବ୍ୟାଙ୍କର୍‌ମାନଙ୍କ ସହ ମିଶି ସେ ଧନ ଠୁଳ କରିବାରେ ଲାଗିଥିଲେ।

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଝିଅ ଯୋଗାଇ ଠାକୁର ବିଭିନ୍ନ ସରକାରୀ ଯୋଜନା ନିଜ ଅକ୍ତିଆରକୁ ଆଣିଥିଲେ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମଧୁ କୁମାରୀଙ୍କ ସହଯୋଗ ଥିବା କଥା ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ମଧୁ କୁମାରୀ ନିରୁଦ୍ଦେଶ ହୋଇ ଯାଇଛନ୍ତି।

ମଧୁ ବ୍ରଜେଶଙ୍କର ମୁଖ୍ୟ କର୍ମୀ। ପୂର୍ବରୁ ମଧୁ ଦେହ ବ୍ୟବସାୟ ସହ ଜଡ଼ିତ ଥିଲା। ତେଣୁ ରେଡ୍‌ ଲାଇଟ୍‌ ଅଞ୍ଚଳରେ ପହଞ୍ଚିବାକୁ ମଧୁ ଠାକୁରଙ୍କୁ ଅକ୍ଳେଶରେ ସହାୟତା କରୁଥିଲା।

ବିହାର ଷ୍ଟେଟ୍‌ ଏଡ୍‌ସ୍‌ କଣ୍ଟ୍ରୋଲ୍‌ ସୋସାଇଟି (ବିସାକ୍ସ) ସ୍କିମ୍‌ ଚଳାଇବାକୁ ମଧ୍ୟ ଠାକୁରଙ୍କ ଏନ୍‌ଜିଓ ମଞ୍ଜୁରି ପାଇଥିଲା। ସେ ମୁଜାଫରପୁର ଏବଂ ବେତ୍ତିହା ଠାରେ ଚଳାଉଥିବା ଦୁଇଟି ‘ବିସାକ୍ସ’ରେ ବିପରୀତ କାର୍ଯ୍ୟ କରୁଥିଲା। ଦେହଜୀବୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପରିବର୍ତ୍ତେ ସେ ନାବାଳିକା ଓ ଅସହାୟାମାନଙ୍କୁ ସେଥିରେ ସମ୍ପୃକ୍ତ କରାଉଥିଲେ।

ଏ ସବୁର ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

By amfnews

Related Post