କଟକ : ଓଡ଼ିଶା ସାହିତ୍ୟ ଏକାଡେମିରେ ପ୍ରାୟ ଦୁଇ ବର୍ଷ ହେବ ସଚିବ କି ଉପସଭାପତି ନାହାନ୍ତି। ୨୦୧୯, ମେ ମାସରୁ ଏକାଡେମିର ସଭାପତିଙ୍କ କାର୍ଯ୍ୟକାଳ ଶେଷ ହେଲାଣି। କିନ୍ତୁ ସେ ଏବେ ବି କାର୍ଯ୍ୟ କରୁଥିବା ବେଳେ ନୂଆ ସଭାପତି ନିଯୁକ୍ତ ହେଉ ନାହାନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଭାଷା ସାହିତ୍ୟର ସର୍ବବୃହତ ଓ ସର୍ବଶ୍ରେଷ୍ଠ ସରକାରୀ ଅନୁଷ୍ଠାନ ସ୍ଥାଣୁ ପାଲଟିଗଲାଣି ବୋଲି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି, ବିଶିଷ୍ଟ କବି ଡକ୍ଟର ହୁସେନ ରବି ଗାନ୍ଧି।
ଡକ୍ଟର ଗାନ୍ଧି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୫ରୁ ଏ ପର୍ଯ୍ୟନ୍ତ ସାହିତ୍ୟ ଏକାଡେମିର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଉ ନାହିଁ। ୨୦୧୭ରୁ ଏ ପର୍ଯ୍ୟନ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇ ନାହିଁ। ଗତ ଆର୍ଥିକ ବର୍ଷରେ ଏକାଡେମି ସରକାରଙ୍କ ଠାରୁ କୋଟିଏ ଷାଠିଏ ଲକ୍ଷ ଟଙ୍କା ଅନୁଦାନ ପାଇଥିବା ବେଳେ ଖର୍ଚ୍ଚ କରିଛି ମାତ୍ର ୬୮ ଲକ୍ଷ ଟଙ୍କା। ଏକାଡେମିର ମୁଖପତ୍ର ‘କୋଣାର୍କ ବର୍ଷେରୁ ଅଧିକ ହେଲାଣି ପ୍ରକାଶ ପାଇ ପାରୁ ନାହିଁ। ବହୁ ଉତ୍କୃଷ୍ଟ ପାଣ୍ଡୁଲିପି ଏକାଡେମିର ଷ୍ଟୋର ଘରେ ଖତ ଖାଉଛି। ଏକାଡେମିର ପୂର୍ଣ୍ଣକାଳୀନ ସଚିବ ନଥିବାରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାରପ୍ରାପ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏକାଡେମିର ଖାଲି ପଡିଥିବା ପଦବି ପୂରଣ ହେଉନି।
ଏକାଡେମି ଏକ ସ୍ବୟଂଶାସିତ ଅନୁଷ୍ଠାନ ହୋଇଥିବା ବେଳେ ସାଧାରଣ ପରିଷଦ ହେଉଛି ଏହାର ପରିଚାଳକ। କିନ୍ତୁ କାମଚଳା ସଭାପତି, ସଚିବ ଏବଂ ଖାଲି ପଡିଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବି ଯୋଗୁଁ ଏହାର ପରିଚାଳନାରେ ସ୍ଥାଣୁତା ସୃଷ୍ଟି ହୋଇଛି। ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚାରି ଜଣ ସାହିତ୍ୟିକଙ୍କ ନାମ ସ୍ଥାୟୀ ସଭାପତି ପାଇଁ ସୁପାରିସ କରିଛି। କିନ୍ତୁ ଦୁଇ ମାସ ହେଲା ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇ ପାରୁ ନାହିଁ। ଏ ପରିସ୍ଥିତି ଯଦି ଲାଗି ରୁହେ ତେବେ ରାଜ୍ୟର ସର୍ବବୃହତ ଭାଷା-ସାହିତ୍ୟ ଅନୁଷ୍ଠାନ ଉଜୁଡି ଯିବ ବୋଲି ଡକ୍ଟର ଗାନ୍ଧି ଆଶଙ୍କା ବ୍ୟକ୍ତ କରିବା ସହିତ ଏହାକୁ ସକ୍ରିୟ କରିବା ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ସ୍ଥାୟୀ ସଭାପତି, ଉପସଭାପତି, ସଚିବ ନିଯୁକ୍ତ କରିବା ଏବଂ ଖାଲି ପଡିଥିବା ପଦବି ପୂରଣ କରିବାକୁ ଦାବି କରିଛନ୍ତି।