245 Views
ଲଣ୍ଡନ, ମାର୍ଚ୍ଚ ୦୬: ବିଶ୍ୱ ଇତିହାସରେ ଏହା ଦ୍ୱିତୀୟ ଥରପାଇଁ ସମ୍ଭବ ହୋଇପାରିଛି ଯେ, ଜଣେ ଏଡ୍ସ କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରିଛି । ଡାକ୍ତରଙ୍କ ଏହି ସଫଳତା ପରେ ସାରା ବିଶ୍ୱରୁ ଏଡ୍ସକୁ ସମ୍ପୂର୍ଣ୍ଣ ଭାବେ ବିନାଶ କରିବାର ଆଶା ଦେଖା ଦେଇଛି ।
ନିକଟରେ ଲଣ୍ଡନରେ ରହୁଥିବା ଜଣେ ଏଡ୍ସ ଆକ୍ରାନ୍ତ, ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ଦ୍ୱିତୀୟଥର ପାଇଁ ସମ୍ଭବ ହୋଇପାରିଛି ଯେ, ଡାକ୍ତର କୌଣସି ଏଡ୍ସ ଆକ୍ରାନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଠିକ୍ କରିବାରେ ସଫଳତା ହାସଲ କରିପାରିଛନ୍ତି ।
ଏହା ପୂର୍ବରୁ ବର୍ଲିନର ଜଣେ ଆକ୍ରାନ୍ତ ଟିମୋଥି ବ୍ରାଉନ ପ୍ରଥମଥର ପାଇଁ ଏଡ୍ସରୁ ମୁକ୍ତି ପାଇଥିଲେ । ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହା କହିବା ଟିକ୍ ହେବ ନାହିଁ କି , ଏଡ୍ସରୁ ମୁକ୍ତି ପାଇବା ପାଇଁ ଉପାୟ ମିଳିଯାଇଛି, କିନ୍ତୁ ଏହି ଦିଗରେ ଏହା ନିଶ୍ଚିତ ରୂପରେ ଏକ ବଡ ସଫଳତା ବୋଲି କୁହାଯାଇପାରେ ।