Fri. Mar 6th, 2026

ମିଛ ଧରାପଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ କାନ ଧରି ଉଠ୍‌ବସ୍‌ ହେବା ଉଚିତ: ମମତା ବାନାର୍ଜୀ

368 Views

କୋଲ୍‌କାତା: ନିର୍ବାଚନ ପ୍ରଚାର ଉପରେ ଲାଗୁ ହୋଇଥିବା ୨୪ଘଣ୍ଟିଆ ନିଷେଧାଦେଶ ଶେଷ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମତୁଆ ସମ୍ପ୍ରଦାୟ ପାଇଁ ସେ (ମମତା) କିଛି କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥାକୁ ‘ଚାଲେଞ୍ଜ୍‌’ କରି ସେ କହିଲେ, ମୁଁ ଏ ‘ଚାଲେଞ୍ଜ୍‌’କୁ ଗ୍ରହଣ କରୁଛି। ଯଦି ମୁଁ କିଛି କରିନାହିଁ, ମୁଁ ରାଜନୀତି ଛାଡ଼ିଦେବି ଆଉ କିଛି ନ କରି ଆପଣ ଯଦି ମିଛ କହୁଥାଆନ୍ତି, ତେବେ ଆପଣ କାନଧରି ଉଠ୍‌ବସ୍‌ ହେବେ।

ରାଜଧାନୀ କୋଲ୍‌କାତା ଠାରୁ ପ୍ରାୟ ୨୦ କିଲୋମିଟର ଦୂର ବରସାତରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ, ମୋଦୀ ଜଣେ ମିଥ୍ୟାବାଦୀ… ପ୍ରଧାନମନ୍ତ୍ରୀ ଜଣେ ମିଥ୍ୟାବାଦୀ। ତା’ପରେ ସେ ନିଜର ତ୍ରୁଟି ସଂଶୋଧନ କରି କହିଲେ, ‘ମିଛୁଆ’ ଏକ ‘ଅନ୍‌ପାର୍ଲାମେଣ୍ଟାରି’ ଶବ୍ଦ। ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିଭ୍ରାନ୍ତ କରାଉଛନ୍ତି।

ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିସନ୍‌ କେବେ ରାଜ୍ୟରେ ଆଠ ପର୍ଯ୍ୟାୟ ନିର୍ବାଚନ ଘୋଷଣା କରି ନ ଥିଲା। ସେଥିରୁ ଏବେ ମାତ୍ର ଚାରିଟି ପର୍ଯ୍ୟାୟ ଶେଷ କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଶନିବାର ଦିନ ଭୋଟ୍‌ ଗ୍ରହଣ କରାଯିବ।

Image Courtesy of NDTV

ନିର୍ବାଚନ ତାରିଖମାନଙ୍କରେ ‘ନିର୍ବାଚନ କମିସନ୍‌’ କାହିଁକି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ନିଷେଧାଦେଶ ଜାରି କରୁନାହିଁ? ନିର୍ବାଚନ ତାରିଖମାନଙ୍କରେ ମୁଁ ମୋ ସଭାସମିତି ବନ୍ଦ କରିବାକୁ ପ୍ରସ୍ତୁତ ଅଛି ବୋଲି କୋଲକାତାରେ ଦିନିକିଆ ‘ଏକାକିନୀ’ ପ୍ରତିବାଦ ଶେଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଚାରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ କୋଲ୍‌କାତା ମଧ୍ୟ ଭାଗରେ ଥିବା ଏକ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ଧାରଣା ଦେଇଥିଲେ। ହୁଇଲ୍‌ ଚେୟାର୍‌ରେ ବସିଥିବା ମମତାଙ୍କ ଠାରୁ କିଛି ଦୂରେ ଥିଲେ ମାତ୍ର କେଇଜଣ ନିରାପତ୍ତା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି।

ରାଜ୍ୟରେ ଭୋଟ୍‌ ଗ୍ରହଣ କରାଯାଉଥିବା ତାରିଖମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାର ଅଭିଯାନ ଉପରେ ନିଷେଧାଦେଶ ଜାରି କରାଯାଉ ବୋଲି ତାଙ୍କ ଦଳ ଦୀର୍ଘ ଦିନରୁ ଦାବି କରି ଆସୁଛି।

By amfnews

Related Post