Sat. Mar 7th, 2026

ମାଲେସିଆ ଜେଲ୍‌ରେ ଓଡ଼ିଆ ଶ୍ରମିକ

192 Views

ଆଳି, ନଭେମ୍ବର, ୬: ବିଦେଶକୁ ଚାକିରି ଆଶାରେ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ଅଭାବ ଅନଟନ ଦୂର ହୋଇଯିବ ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଚାକିରି ତ ଗଲା, ଏବେ ଘରକୁ ଫେରିବା ମଧ୍ୟ କଷ୍ଟକର। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ଆଙ୍କୋ ଗାଁର ଅଶୋକ ମଳିକଙ୍କ କାହାଣୀ। କାମ ଆଶାରେ ମାଲେସିଆ ଯାଇଥିବା ଅଶୋକ ଏବେ ସେଠିକାର ଜେଲ୍‌ରେ ଅଛନ୍ତି।

ଅଶୋକ ଜଣେ ଏଜେଣ୍ଟଙ୍କ ଜରିଆରେ ପାଣି ପାଇପ୍‌ରେ କାମ କରିବାକୁ ମାଲେସିଆ ଯାଇଥିଲେ। ସେଠାରେ ସେ A Z Express ନାମକ ଏକ କମ୍ପାନୀରେ କାମ କରୁଥିଲେ। ସେ ଟ୍ରୁରିଷ୍ଟ ଭିସାରେ ମାଲେସିଆ ଯାଇଥିଲେ। ତେବେ ଭିସାର ଅବଧି ସରିଯିବାରୁ ମାଲେସିଆ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ୍‌ରେ ରଖିଛି।

ଗତ ୨ ମାସ ହେବ ଅଶୋକ ମାଲେସିଆ ଜେଲ୍‌ରେ ସଢ଼ୁଛନ୍ତି। ଘଟଣା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ି ଯାଇଛି। ପୁଅ ଘରକୁ କେମିତି ଫେରିବ ? କିଏ ସାହାରା ହେବ ? ସେହି ଚିନ୍ତା ବାପାମାଆଙ୍କ ନିଦ ହଜାଇ ଦେଇଛି। ଏନେଇ ସେମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ଲିଖିତ ଭାବେ ଜଣାଇଛନ୍ତି।

By amfnews

Related Post