Mon. Jun 16th, 2025

ମାଲକାନଗିରିର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ମଣ୍ଡିରେ ସମସ୍ୟା ସୁଧୁରିନି

By amfnews Jan 11, 2019 #Featured
218 Views

ମାଲକାନଗିରି, ଜାନୁଆରୀ ୧୧ : ମାଲକାନଗିରି ଜିଲ୍ଲାରେ ମଣ୍ଡି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦିନକୁ ଦିନ ଉଗ୍ରରୂପ ନେବାକୁ ଲାଗିଲାଣି। ମଣ୍ଡି ଖୋଲିବା ପୂର୍ବରୁ ପ୍ରଶାସନ ଦେଇଥିବା ନିର୍ଦେଶକୁ ଆଦୌ ପାଳନ କରାଯାଉ ନାହିଁ। ଯାହାଫଳରେ ସ୍ଥିତି ବିଗିଡ଼ି ଇତି ମଧ୍ୟରେ ବାରମ୍ବାର ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରି ସାରିଲାଣି। ତଥାପି ବନ୍ଦ ହୋଇ ନାହିଁ କଟନି ଛଟନି କିମ୍ବା ଅବ୍ୟବସ୍ଥା।

ଯାହକୁ ବିରୋଧ କରି ଚାଷୀ ଆଜି ପୁଣି ରାସ୍ତାକୁ ଓହ୍ଲାଇଥିଲେ। କୋରୁକୋଣ୍ଡା, ପାଣ୍ଡ୍ରିପାଣି ଏବଂ ପଦ୍ମଗିରି ଛକରେ ରାସ୍ତା ଅବରୋଧ କରିଥିଲେ। ଚାଷୀଙ୍କୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଦିବାସୀ ମହାସଂଘ ବି ସାମିଲ ହୋଇଥିଲା। ଶହ ଶହ ସଂଖ୍ୟ‌ାରେ ଉତ୍ତ୍ୟକ୍ତ ଚାଷୀ ଆଜି ରାସ୍ତାରେ ଧାନ ଗଦାକରି ମଣ୍ଡିରୁ ତୁରନ୍ତ ଧାନ ଉଠାଇବାକୁ ଦାବି କରିଥିଲେ। ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡିରେ ପଡିଛି। ଶୀତ କାକରରେ ଅନିଦ୍ରା ହୋଇ ଚାଷୀ ଧାନକୁ ଜଗି ରହିଛନ୍ତି। ଏମିତି ସମୟରେ ଜିଲ୍ଲା ପ୍ରଶାସନ ମାଲ୍ୟବନ୍ତ ମହୋତ୍ସବରେ ବ୍ୟସ୍ତ ରହିଛି ବୋଲି ଚାଷୀ ଅଭିଯୋଗ କରିଥିଲେ।

ବାରମ୍ବାର ଟାର୍ଗେଟ ବଢାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ଆଦୌ ଶୁଣୁନଥିବା ବି ଚାଷୀ କହିଥିଲେ। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କୁ ପଚାରିବାରୁ ଯେଉଁ ସ୍ଥାନରେ ରାସ୍ତାରୋକ କରାଯାଇଥିଲା ସେଠାକୁ ଯାଇ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଇଛି। କୌଣସି ମଣ୍ଡିରେ ସମସ୍ୟା ନାହିଁ। କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏଭଳି କାମ କରୁଥିବା ସେ ଅଭିଯୋଗ କରିଛନ୍ତି।

By amfnews

Related Post