Fri. Mar 14th, 2025

ମାଫିଆ କବ୍‌ଜାରେ ବାଲିଘାଟ:ଟେଣ୍ଡର ହେଉନି, ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ

By amfnews Jan 26, 2019 #Featured
265 Views

ଜୁନାଗଡ଼,: ଜୁନାଗଡ଼ର ଉଭୟ ସହର ଓ ଗ୍ରାମାଞ୍ଚଳରେ ବାଲି ମାଫିଆଙ୍କ ରାଜୁତି ଦେଖିବାକୁ ମିଳୁଛି। ଜୁନାଗଡ଼ ତହସିଲ ଅଧୀନରେ ଥିବା ବାଲିଘାଟକୁ ସାମୟିକ ଭାବେ ଲିଜ ଦେଇଥିବାରୁ ବାଲି ବ୍ୟବସାୟୀମାନେ ଦିନକୁ ଦିନ ଟାର୍ଗେଟରୁ ଅଧିକ ବାଲି ଚାଲାଣ କରୁଛନ୍ତି। ଟେଣ୍ଡର ହେଉନଥିବା ଯୋଗୁଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି। ତଥାପି ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ଜୁନାଗଡ଼ ତହସିଲ ଅଧୀନରେ ପାଣିଗାଁ, ଚିଙ୍ଗୁଡିସର, କରଚଲା, ଚିଲକପୁର, ହାବସପୁର, ଆଟିଗାଁ, ଭତରାଗୁଡ଼ା, ଚିଚେଇଗୁଡା, ଦାସିଗାଁ ସମେତ ୯ ବାଲିଘାଟ ଅଛି। ଏହି ବାଲିଘାଟରୁ ବେଆଇନ ବାଲି ଚାଲାଣ ହେଉଛି। ଜୁନାଗଡ଼ ତହସିଲ ଅଧୀନରେ ଥିବା ୩ଟି ବାଲିଘାଟକୁ ସାମୟିକ ଭାବେ ୩ ମାସ ପର୍ଯ୍ୟନ୍ତ ଲିଜ ଦିଇଆଯାଇଥିବା ତହସିଲ ସୂତ୍ରରୁ ପ୍ରକାଶ। ବୁଢ଼ୀପଦର ବାଲିଘାଟକୁ ୯୫ ହଜାର ଟଙ୍କାରେ ପ୍ରଫୁଲ୍ଲ ବେହେରାଙ୍କୁ ଲିଜ ଦିଆଯାଇଛି।

ସେହିଭଳି ଆଟିଗାଁ ବାଲିଘାଟକୁ ୫୦ହଜାର ଟଙ୍କାର ଦଧିଚି ନାଏକ ଓ ପାଣିଗାଁ ବାଲିଘାଟକୁ ୫୬ ହଜାର ଟଙ୍କାର ଅକ୍ଷୟ ପଣ୍ଡାଙ୍କୁ ସାମୟିକ ଭାବେ  ଲିଜ ଦିଆଯାଇଛି। ହେଲେ ଲିଜଧାରୀମା‌ନେ ମନଇଚ୍ଛା ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଲିଜ ଧାରୀମାନେ କମ ଏରିଆର ଲିଜ ନେଇ ବହୁ ଏରିଆରୁ ବାଲି ଉଠାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିପାଇଁ ବେଆଇନ ଭାବେ ଜେସିବି ଓ ହାଇୱା ମଧ୍ୟ ବ୍ୟବହାର ହେଉଛି। ବାଲିଘାଟ ଟେଣ୍ଡର ନ ହେବା ଫଳରେ ବ୍ୟବସାୟୀମାନେ କମ ଟଙ୍କାରେ ଲିଜ ନେଇ ଅଧିକ ଲାଭବାନ ହେଉଛନ୍ତି।

ଆଗରୁ ଯେଉଁମାନେ ବାଲିଘାଟ ଲିଜ ନେଉଥିଲେ ସେହି ଲୋକମାନେ ହିଁ ନିଜ ନାମ କିମ୍ବା ନିଜ ସମ୍ପର୍କୀୟଙ୍କ ନାମରେ ବାଲିଘାଟ ଲିଜ ନେଉଥିବା ଅଭିଯୋଗ ହୋଇଛି। ଲିଜ ସମୟ ସୀମା ସରି ଆସୁଥିବା ବେଳେ ଏହି ଲୋକମାନେ ହିଁ ବାକିଘାଟ ଲିଜ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ଉ କରାଗଲେ ଚୋର ଚାଲାଣ ରୋକା ଯାଇ ପାରନ୍ତା ବୋଲି ସାଧାରଣରେ ମଦ ପ୍ରକାଶ ପାଉଛି। ଏ ନେଇ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରରୁ, ଗତ ନଭେମ୍ବର ମାସରୁ ଜୁନାଗଡ଼ ତହସିଲ ଅଧୀନରେ ଥିବା ୯ଟି ବାଲିଘାଟକୁ ଟେଣ୍ଡର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଯଦି ଚୋରା ଚାଲାଣ ହେଉଛି ଅତର୍କିତ ଚଢ଼ଉ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

By amfnews

Related Post