Tue. Jan 21st, 2025

ମାଧ୍ୟମିକ ବିଦ୍ୟାଳୟ ପାଇଁ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

By amfnews Aug 4, 2019 #Featured
101 Views

ଭୁବନେଶ୍ବର : ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଅନୁଦାନରେ ଦୁର୍ନୀତି ହୋଇଛି। ୪୦ରୁ ଅଧିକ ପ୍ରକାଶକ ଏ ସଂପର୍କରେ ଅଭିଯୋଗ ଆଣିଛନ୍ତି। ପାଠାଗାର ପ୍ରସ୍ତୁତି, ପୁସ୍ତକ କିଣା ନିମନ୍ତେ ରାଜ୍ୟର ୮୩୬୫ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ୧୮କୋଟି ୨୩ ଲକ୍ଷ ୬୦ ହଜାର ଟଙ୍କାର ଅନୁଦାନ ଦିଆଯାଇଥିଲା। ଏହି ଅନୁଦାନ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ୩୦ଟି ଜିଲ୍ଲାକୁ ପ୍ରଦାନ କରାଯାଇଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ପୁସ୍ତକ କିଣିବା ପାଇଁ ଯେଉଁ ପୁସ୍ତକ ତାଲିକା ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ୨ଟି ପର୍ଯ୍ୟାୟରେ ପ୍ରସ୍ତୁତ ହୋଇଛି, ସେଥିରେ କେବଳ ୭/୮ଜଣ ପ୍ରକାଶକଙ୍କ ଶତାଧିକ ପୁସ୍ତକ ସ୍ଥାନ ପାଇଛି।

ରାଜ୍ୟରେ ଶତାଧିକ ପ୍ରକାଶକ ଥିଲେ ହେଁ ସରକାରଙ୍କ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଜ୍ଞାପନ ନଦେଇ ଓଡ଼ିଶା ସାହିତ୍ୟ ଏକାଡେମି ୨ଟି ପର୍ଯ୍ୟାୟରେ ପୁସ୍ତକ ତାଲିକା ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୭/୮ଜଣ ପ୍ରକାଶକଙ୍କ ପୁସ୍ତକ ତାଲିକା ଦିଆଯାଇଥିବାରୁ ଏକାଡେମି ପକ୍ଷରୁ ୨ୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଲା। ମାତ୍ର ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବି ସେଇ ୭-୮ଜଣ ପ୍ରକାଶକଙ୍କ ବହି ସଂଖ୍ୟା ବଢ଼ାଇ ଦିଆଗଲା। ଆଶ୍ଚର୍ଯ୍ୟର ବିଷୟ, ସାହିତ୍ୟ ଏକାଡେମିର ପ୍ରଥମ ତାଲିକାରେ ୧୦୦ଖଣ୍ଡ ବହି ଥିବା ବେଳେ ସୂଚନା ଆଇନ୍‌ ବଳରେ ହାସଲ ହୋଇଥିବା ତଥ୍ୟ ମୁତାବକ ରାମ୍‌ସା ଉପନିର୍ଦେଶକ ୨୩୩ଖଣ୍ଡ ବହିର ତାଲିକା ଉଲ୍ଲେଖ କରିଛନ୍ତି।

ମାଧ୍ୟମିକ ନିର୍ଦେଶାଳୟ ଜିଲ୍ଲାମାନଙ୍କୁ ମଧ୍ୟ ୨୩୩ ବହିର ତାଲିକା ପଠାଇଛନ୍ତି। ଏ ବିଷୟରେ ଶତାଧିକ ପ୍ରକାଶକ ଜାଣିବା ପରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଭେଟି ଅଭିଯୋଗ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହା ପରେ ପୁସ୍ତକ ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜ ତ୍ରୁଟି ଜାଣିପାରି ସାହିତ୍ୟ ଏକାଡେମି ସମସ୍ତ ପ୍ରକାଶକଙ୍କ ପୁସ୍ତକ ତାଲିକା ଗ୍ରହଣ କରି ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଲା। ପୂର୍ଣ୍ଣାଙ୍ଗ ପୁସ୍ତକ ତାଲିକା ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଧିକାରୀଙ୍କୁ ପଠାଇବ ବୋଲି ମଧ୍ୟ ପତ୍ରରେ ଜଣାଇଥିଲା। ଏହା ସତ୍ତ୍ବେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପୂର୍ବ ତାଲିକାକୁ ନାକଚ କରି ନିଜ ପଦକ୍ଷେପକୁ ଠିକ୍‌ ବୋଲି କହିଛି। ଏଥିରୁ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ପ୍ରକାଶକମାନେ ଅଭିଯୋଗ କରିବା ସହ କୋଟିକୋଟି ଟଙ୍କା ବାଟ ମାରଣାରୁ ରକ୍ଷା ପାଇଁ ପ୍ରକାଶକମାନେ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି।

By amfnews

Related Post