Sun. Nov 24th, 2024

ମାତି‌ଲା ଛିନ୍‌ତାଇ ଗ୍ୟାଙ୍ଗ୍‌, ଘଣ୍ଟାକରେ ୩ ଲୁଟ୍‌

By amfnews Nov 26, 2019 #Featured
178 Views

ଖଣ୍ଡଗିରି: ସୋମବାର ଏକ ଛିନ୍‌ତାଇ ଗ୍ୟାଙ୍ଗ୍‌ ମାତ୍ର ଘଣ୍ଟାଏ ବ୍ୟବଧାନରେ ତିନି ତିନିଟି କାଣ୍ଡ କରି କମିସନରେଟ୍‌ ପୁଲିସର ନିଦ ହଜେଇ ଦେଇଛି। ଖଣ୍ଡଗିରିରେ ଜଣେ ମହିଳା ପର୍ଯ୍ୟଟକ ଓ ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଅଭିଯୋଗ ପରେ ଖଣ୍ଡଗିରି ଥାନା ଓ ତମାଣ୍ଡୋ ଥାନା ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲେ ବି ଛିନ୍‌ତାଇ ଗ୍ୟାଙ୍ଗ୍‌ର ଟେର୍ ପାଇନାହିଁ। ଦିନ ଦି’ପହରେ ଦୁଇ ଦୁଇଟି ଥାନାର ପାଟ୍ରୋଲିଂକୁ ଚ୍ୟାଲେଞ୍ଜ କରି ଏହି ଗ୍ୟାଙ୍ଗ୍‌ ଲୁଟ୍‌ କରିଥିବାରୁ କମିସନରେଟ୍‌ ପୁଲିସର ଦକ୍ଷତାକୁ ନେଇ ଅଙ୍ଗୁଳି ଉଠିଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବେଙ୍ଗାଲୁରୁରୁ ଆସିଥିବା ଏକ ଦମ୍ପତି କ୍ରିଷ୍ଣାମୂର୍ତ୍ତି ଓ ତାଙ୍କ ସ୍ତ୍ରୀ ସର୍ବମଙ୍ଗଳା ଖଣ୍ଡଗିରିରେ ପହଞ୍ଚିଥିଲେ। ସେମାନେ ଖଣ୍ଡଗିରି ପାହାଡ଼ ଉପରକୁ ଯିବା ପାଇଁ ରାସ୍ତା ନିକଟରେ ଅପେକ୍ଷା କରିଥିଲେ। ଏତିକିବେଳେ କଳା ପଲ୍‌ସରରେ ଥିବା ଜଣେ ଦୁର୍ବୃତ୍ତ ଆସି ସର୍ବମଙ୍ଗଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲା। ସ୍ବାମୀ-ସ୍ତ୍ରୀ କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଦୁର୍ବୃତ୍ତଟି ପୁଣି ନାକାଗେଟ୍‌ ଦିଗରେ ପଳାଇଥିଲା। ଖବର ପାଇ ପିସିଆର୍ ଭ୍ୟାନ୍‌ ଘଟଣାସ୍ଥଳକୁ ଆସିବା ଛାନ୍‌ଭିନ କରିଥିଲା।

ଏନେଇ କ୍ରିଷ୍ଣାମୂର୍ତ୍ତି ଓ ତାଙ୍କ ସ୍ତ୍ରୀ ସର୍ବମଙ୍ଗଳା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳାଙ୍କ ସୂଚନାନୁସାରେ ଉକ୍ତ ଚେନ୍‌ର ଓଜନ ପ୍ରାୟ ୧୦୦ ଗ୍ରାମ୍‌ ହେବ। ତେବେ ଏହି ଲୁଟ୍‌ର ଠିକ୍‌ ଅଧଘଣ୍ଟା ପୂର୍ବରୁ ଖଣ୍ଡଗିରିରେ ଅନ୍ୟ ଜଣେ ମହିଳା ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ। ଅନୁରୂପଭାବେ ଜଣେ ଦୁର୍ବୃତ୍ତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ତାଙ୍କ ବେକରୁ ପ୍ରାୟ ୨୫ ଗ୍ରାମ୍‌ ଓଜନର ଏକ ସୁନାଚେନ୍‌ ଝାମ୍ପି ନେଇଥିଲା। ଲୁଟ୍‌ର ଶିକାର ହୋଇଥିବା ଏହି ମହିଳାଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପାହାଡ଼ତଳେ ଥିବା ଦୋକାନୀମାନଙ୍କୁ ପଚରାଉଚରା ଜାରି ରଖିଛି। ମହିଳା ପର୍ଯ୍ୟଟକଙ୍କ ଲୁଟ୍‌ର ମାତ୍ର ଅଧଘଣ୍ଟା ପରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ପୁଣି ଜଣେ ମହିଳା ଲୁଟ୍‌ର ଶିକାର ହୋଇଥିଲେ। ସୁନ୍ଦରପଦା ନିକଟ ଏକାମ୍ରବିହାରରେ ରହୁଥିବା ଶିକ୍ଷୟିତ୍ରୀ ପ୍ରସନ୍ନା ଦାସ ଓ ତାଙ୍କର ଜଣେ ସହକର୍ମୀ ଯାଁଳାସ୍ଥିତ ଦିବ୍ୟାଙ୍ଗ ଶିଶୁ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ତାଲିମ୍‌ କାମରେ ଯାଉଥିଲେ। ଶ୍ରୀମତୀ ଦାସ ଆକ୍ଟିଭା ପଛ ସିଟ୍‌ରେ ବସିଥିଲେ। ସେମାନେ ତମାଣ୍ଡୋ ବଜାର ପାର୍ ହୋଇ କେନ୍ଦ୍ରୀୟ ବିହାର ଛକରେ ପହଞ୍ଚିଥିବାବେଳେ ପଛରୁ କଳା ପଲସ୍‌ରରେ ଥିବା ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା‌ଚେନ୍‌କୁ ଝାମ୍ପିନେଇ ଖୋର୍ଧା ଦିଗରେ ପଳାଇଥିଲା। ଉକ୍ତ ଚେନ୍‌ର ଓଜନ ୧୮ ଗ୍ରାମ୍‌ ବୋଲି ସେ କହିଛନ୍ତି। ପ୍ରତ୍ୟେକ ମାମଲାରେ କଳା ପଲସ୍‌ରେ ଥିବା ଜଣେ ଦୁର୍ବୃତ୍ତ ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏହା ଜଣେ ଲୁଟେରାର କାମ କି ଏକ ଗ୍ୟାଙ୍ଗ ପୃଥକ ପୃଥକଭାବେ ଏହି କାଣ୍ଡ କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ।

By amfnews

Related Post