Sun. Mar 8th, 2026

ମାଇଁଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭଣଜାକୁ ୧୦ ବର୍ଷ ଜେଲ୍‌

197 Views

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୨) ସୁବାସ କୁମାର ବେହାରି ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୭ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧୦ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି।

ମାମଲା ବିବରଣୀରୁ ପ୍ରକାଶ, ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ଭଣଜା ଶଶଧର ମଣ୍ଡଳଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ମାମୁ-ଭଣଜା ମିଶି ଏକ ଢାବା ମଧ୍ୟ କରିଥିଲେ। ଏହାରି ଭିତରେ ଭଣଜା ଶଶଧର ମାମୁଘରକୁ ବାରମ୍ବାର ଯିବାଆସିବା କରିବା ଫଳରେ ମାଇଁଙ୍କ ନିକଟତର ହୋଇ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲା। କଥା ପ୍ରଘଟ ହେବା ପରେ ୨୦୧୭ ମସିହା ଏପ୍ରିଲ ମାସ ୫ ତାରିଖରେ ମାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଶଶଧର ତାଙ୍କ ସହ ଦୁଷ୍କର୍ମ କରିଥିବା ଏବଂ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିବାରୁ ଏହାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ। ପରେ ଉକ୍ତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସଂପର୍କରେ ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ଶିଳ୍ପାଞ୍ଚଳ ଥାନା କେସ୍ ନଂ ୪୧/୧୭ରେ ମାମଲା ରୁଜୁ କରାଯିବା ସହ ଥାନାର ତତ୍‌କାଳୀନ ଆଇଆଇସି ଅଶୋକ କୁମାର ମହାନ୍ତି ଅଭିଯୁକ୍ତ ଶଶଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୧୬ ଜଣ ସାକ୍ଷୀ ଓ ୧୮ଟି ଦସ୍ତାବିଜକୁ ଭିତ୍ତି କରି ବିଚାରପତି ଶ୍ରୀ ବେହାରି ଆଜି ଅଭିଯୁକ୍ତ ଶଶଧର ମଣ୍ଡଳକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଦୀପକ କୁମାର ଦାଶ ପରିଚାଳନା କରୁଥିଲେ।

By amfnews

Related Post