Sun. Mar 8th, 2026

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

216 Views

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ଗାଁରେ ଜଣେ ନବ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ। ମୃତ ମହିଳା ଜଣକ ହେଲେ ଅନିତା ସାହୁ। ଘର କଟକ ନିଆଳି ଥାନା ଅଧୀନ ମାଧବ ତଇଲାରେ। ୩ ମାସ ତଳେ ସେ ଦଶରଥ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଦଶରଥଙ୍କ ଅନ୍ୟ ମହିଳାଙ୍କ ସହିତ ଥିବା ସମ୍ପର୍କକୁ ନେଇ ଅନିତା ବିରୋଧ କରୁଥିଲେ।

ଏହି କାରଣରୁ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ପରିବାର ଲୋକ କହିଛନ୍ତି। ଏ ନେଇ ଅନିତାଙ୍କ ବାପା କୈଳାସ ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଶରଥଙ୍କୁ ଅଟକ ରଖିଛି। ଅନିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ବିବାହ ପରେ ଝିଅକୁ ବିଭିନ୍ନ ସମୟରେ ସ୍ୱାମୀ ଦଶରଥ ଓ ଅନ୍ୟମାନେ ନିର୍ଯାତନା ଦେଉଥିଲେ। ଗତ ସପ୍ତାହେ ହେବ ଅନିତା କାନ୍ଦିକାନ୍ଦି ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ହଠାତ ଆଜି ସନ୍ଧ୍ୟାରେ ଦଶରଥ ଫୋନ୍‌ କରି ଜଣାଇଥିଲେ ଯେ, ଅନିତାଙ୍କ ଦେହ ଖରାପ ଅଛି, ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଆସନ୍ତୁ। ପରିବାର ଲୋକ ଖବର ପାଇ ରାତି ପ୍ରାୟ ୮ଟାବେଳେ କ୍ୟାପିଟାଲ ହସ୍ପିଟାଲ ପହଞ୍ଚି ଜାଣିବାକୁ ପାଇଥିଲେ ଝିଅର ମୃତ୍ୟୁ ଘଟି ସାରିଛି।

ପୁଲିସ ଦଶରଥଙ୍କୁ ମଧ୍ୟ ଅଟକ ରଖିଛି। ଅନିତାଙ୍କ ପରିବାର ଲୋକ ଝିଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ବାପା କୈଳାସ କହିଛନ୍ତି। ତେବେ ପରିବାର ଲୋକଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଡ଼ଗଡ଼ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସ୍ୱାଇଁ। କହିଛନ୍ତି ଏହା ଏକ ଆତ୍ମହତ୍ୟା ଜନିତ ମାମଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ରିପୋର୍ଟ ଆସିବା ପରେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ ବୋଲି ଇନ୍ସପେକ୍ଟର ଶ୍ରୀ ସ୍ୱାଇଁ କହିଛନ୍ତି।

By amfnews

Related Post