Fri. Mar 6th, 2026

ମହିଳାଙ୍କୁ ଖଜୁରି ଗଛରେ ପିଟି ମାରିଲା ଗୋଠଖଣ୍ଡିଆ ଦନ୍ତାହାତୀ

311 Views

ପରଜଙ୍ଗ, ଡିସେମ୍ବର ୧୦ : ସୋମବାର ପ୍ରତ୍ୟୁଷରେ କନ୍ଦରସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିବାହାଳ ଗାଁର ଜଣେ ମହିଳାଙ୍କୁ ଗୋଟାଏ ଗୋଠଖଣ୍ଡିଆ ଦନ୍ତା ହାତୀ ଲୋଧଣୀ ଅଶ୍ୱସ୍ତଛକ ନିକଟରେ ଥିବା ଏକ ଖଜୁରିଗଛରେ ପିଟି ମାରିପକାଇଛି।

ମୃତ ମହିଳା ହେଉଛନ୍ତି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି ମାଲିକ ଭଗବାନ ବିଶ୍ୱାଳଙ୍କ ପତ୍ନୀ ନିରୁପମା ବିଶ୍ୱାଳ। ନିରୁପମା ପୂର୍ତ୍ତ ବିଭାଗ ପିଚୁ ସଡ଼କରେ ଦୈନନ୍ଦିନ ସକାଳବୁଲା ସାରି ଭୋର୍‌ ପ୍ରାୟ ୫: ୪୫ ମିନିଟ୍‌ ସମୟରେ ତାଙ୍କ ଘର ଠାରୁ ହାରାହାରି ୧୦୦ ମିଟର ଦୂରରେ ଥିବା ବେଳେ ହାତୀ ଆକ୍ରମଣର ସରବ୍ୟ ହୋଇଥିଲେ। ସେତିକି ବେଳେ ସେ ଗୋଠଖଣ୍ଡିଆ ଦନ୍ତାହାତୀଟି ମଧ୍ୟ ରାସ୍ତାପାର ହେଉଥିଲା। ସେ ଅକସ୍ମାତ ଧାଇଁ ଆସି ନିରୁପମାଙ୍କୁ ଥୋଡ଼ପାହଡ଼ରେ ଉଠାଇନେଇ ରାସ୍ତାକଡ଼ରେ ଥିବା ଗୋଟାଏ ଖଜୁରିଗଛରେ ପିଟି ମାରିପକାଇବା ପରେ ରସ୍ତାତଳକୁ ଥିବା ଅରମାରେ ତାଙ୍କ ଶବକୁ ଫିଙ୍ଗି ଦେଇ ଚାଲିଯାଇଥିଲା

ପତ୍ନୀଙ୍କ ଫେରିବା ବିଳମ୍ବ ହେବାରୁ ଭଗବାନ ଖୋଜିବାକୁ ଯାଇ ରସ୍ତାରେ ପତ୍ନୀଙ୍କ ଚପଲ ଓ ଭଙ୍ଗା ଚୁଡ଼ି ପଡ଼ିଥିବା ଦେଖିଥିଲେ। ଆଉ ଟିକେ ଖୋଜିବାରୁ ଅରମା ନଟୀରେ ପତ୍ନୀ ନିରୁପମାଙ୍କ ଶବ ପଡ଼ିଥିବା ଦେଖିଥିଲେ। ନିରୁପମାଙ୍କ ଆନୁମାନିକ ବୟସ ୪୨ କିମ୍ବା ୪୩ ବୋଲି କୁହାଯାଉଛି।

ନିରୁପମାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପରଜଙ୍ଗ ପୁଲିସ ଘଟନାସ୍ଥଳରେ ପହଞ୍ଚି ଲୋମାନଙ୍କୁ ଶାନ୍ତ କରାଉଛନ୍ତି।

ଖବର ଲେଖା ହେବା ଯାଏଁ ବନ ବିଭାଗ ତରଫରୁ କୌଣସି ଲୋକ ପହଞ୍ଚି ନ ଥିବା ଜଣାପଡ଼ିଛି।

By amfnews

Related Post