Sat. Mar 7th, 2026

ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ୧୪ କୋଟି ଟଙ୍କା ମୂଲ୍ୟର ସୁନା ଦାନ କଲେ ଭକ୍ତ

314 Views

ମୁମ୍ବାଇ: ଆସ୍ଥା ଓ ଶ୍ରଦ୍ଧାର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏହି ମନ୍ଦିରରେ ଜଣେ ଭକ୍ତ ୩୫ କିଲୋର ସୁନା ଦାନ କରିଛନ୍ତି । ଏହି ସୁନାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁସାରେ, ଜଣେ ଭକ୍ତ ପ୍ରାୟ ଏକ ସପ୍ତାହ ପୂର୍ବରୁ ମନ୍ଦିରକୁ ଆସି ଏହି ସୁନା ଦାନ କରିଛନ୍ତି । ଭାରତର ଅନ୍ୟତମ ଧନୀ ମନ୍ଦିର ହେଉଛି ସିଦ୍ଧିବିନାୟକ ମନ୍ଦିର । ଦାନ କରାଯାଇଥିବା ଏହି ସୁନାକୁ ମନ୍ଦିରର କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି । ଏଥିପାଇଁ ପ୍ରାୟ ୬ ମାସ ଲାଗିବ । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରିଥାନ୍ତି । କିନ୍ତୁ ଭକ୍ତଙ୍କ ନାମକୁ ସବୁବେଳେ ମନ୍ଦିର ପକ୍ଷରୁ ଗୋପନ ରଖାଯାଇଥାଏ ।

ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର ୩୫ କିଲୋ ସୁନା ଦାନ ନେଇ ସୂଚନା ଦେଇଛନ୍ତି, କିନ୍ତୁ ଦାନ ଦେଇଥିବା ଭକ୍ତଙ୍କର ପରିଚୟ ଦେବାକୁ ମନା କରି ଦେଇଛନ୍ତି। ଏହି ଭକ୍ତଜଣକ ଦିଲ୍ଲୀରେ ରହନ୍ତି ବୋଲି ଅବଶ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦାନରେ ମିଳିଥିବା ଅର୍ଥକୁ ଏଯାବତ୍ ୨୦ ହଜାର ଲୋକଙ୍କୁ ସାହାଯ୍ୟ କରାଗଲାଣି। ଏହି ଲୋକମାନଙ୍କୁ ୨୫ହଜାର ଟଙ୍କା ଯାଏଁ ସହଯୋଗ ଦିଆଯାଇଛି। ଏହି ବାବଦରେ ଏଯାଏଁ ୩୮ କୋଟି ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଛନ୍ତି।

Image: Darwininan/Wikimedia Commons

ସୂଚନାଯୋଗ୍ୟ, ସିଦ୍ଧବିନାୟକ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି । ୨୦୧୭ ମସିହାରେ ମନ୍ଦିରକୁ ୩୨୦ କୋଟି ଦାନ ଆକାରରେ ମିଳିଥିବା ବେଳେ ୨୦୧୮ରେ ପ୍ରାୟ ୪୧୦ କୋଟି ଦାନ ଆକାରରେ ମିଳିଥିବା କୁହାଯାଉଛି ।

By amfnews

Related Post